
ରଘୁନାଥପୁର: ଏରଡଙ୍ଗା ପଞ୍ଚାୟତର ବିଶିଷ୍ଟ ସମାଜସେବୀ, ଜନପ୍ରିୟ ବ୍ୟକ୍ତିତ୍ୱ ତଥା ଗରିବ ଓ ଅସହାୟ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ସ୍ୱର୍ଗତ ଦେବବ୍ରତ ତ୍ରିପାଠୀ (ବାଇଆ ନନା)ଙ୍କ ସ୍ମୃତିରେ ସର୍ବେଶ୍ୱର ଛକରେ ସ୍ଥାପିତ ହୋଇଥିବା ମୂର୍ତ୍ତିକୁ ଅଜଣା ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ କ୍ଷୋଭର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ୧୦-୦୬-୨୦୨୬ ରିଖ ବିଳମ୍ବିତ ରାତ୍ରିରେ କେତେକ ଅଜଣା ଦୁର୍ବୃତ୍ତ ସର୍ବେଶ୍ୱର ଛକରେ ସ୍ଥାପିତ ମୂର୍ତ୍ତିକୁ ଉପାଡ଼ି ନେଇ ଚୋରି କରିଥିଵାର ସନ୍ଦେହ ହେଉଛି । ପରଦିନ ସକାଳେ ସ୍ଥାନୀୟ ଲୋକମାନେ ମୂର୍ତ୍ତି ନଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ସ୍ୱର୍ଗତ ଦେବବ୍ରତ ତ୍ରିପାଠୀ (ବାଇଆ ନନା) ଅଞ୍ଚଳର ଜଣେ ସୁପରିଚିତ ସମାଜସେବୀ ଭାବେ ପରିଚିତ ଥିଲେ। ସମାଜର ବିକାଶ, ଗରିବ ଲୋକଙ୍କ ସହାୟତା ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ସ୍ମୃତିରେ ସ୍ଥାପିତ ମୂର୍ତ୍ତି ଚୋରି ହେବା କେବଳ ଏକ ସମ୍ପତ୍ତି ଚୋରି ନୁହେଁ, ବରଂ ଅଞ୍ଚଳବାସୀଙ୍କ ଭାବାବେଗ, ସମ୍ମାନ ଓ ସାମାଜିକ ମୂଲ୍ୟବୋଧ ଉପରେ ଏକ ଆଘାତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ଏରଡଙ୍ଗା ପଞ୍ଚାୟତର ଯୁବକ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଦେଖାଦେଇଛି। ଅପରାଧୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା, ମୂର୍ତ୍ତିକୁ ଉଦ୍ଧାର କରିବା ଏବଂ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହାର ପ୍ରତିବାଦ ସ୍ୱରୂପ ଏରଡଙ୍ଗା ପଞ୍ଚାୟତର ସଚେତନ ଯୁବକମାନେ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଏତଲା ଦାଖଲ କରିଛନ୍ତି। ପୋଲିସ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଚୋରି ହୋଇଥିବା ମୂର୍ତ୍ତିର ଶୀଘ୍ର ଉଦ୍ଧାର ପାଇଁ ଦାବି କରାଯାଇଛି।
ଯୁବ ଆଇନଜିବୀ ବଳରାମ ଦଳାଇ, ପ୍ରସନ୍ନ ଦାସ, ସ୍ମୃତି ରଞ୍ଜନ ବେହେରା, ଦେବାଶିଷ ଦଳାଇ, ପ୍ରମୋଦ କୁମାର ଦାସ, ସମୀର ପଟ୍ଟନାୟକ, ଅମିର ଦାସ, ଦୀପ୍ତି ରଞ୍ଜନ ମହାପାତ୍ର, ଦୀପ୍ତି ରଞ୍ଜନ ଖଟୁଆ ପ୍ରମୁଖ ଏହି ଦାବି ଉଠାଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଦେଇଛନ୍ତି।
ଅଞ୍ଚଳବାସୀଙ୍କ ଆଶା ଯେ, ପୋଲିସ ପ୍ରଶାସନ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ଦୋଷୀମାନଙ୍କୁ ଧରିବା ସହ ଚୋରି ହୋଇଥିବା ମୂର୍ତ୍ତିକୁ ଉଦ୍ଧାର ହେବ ଯଦି ଏହାର ବିଳମ୍ବ ହୁଏ ପଂଚାୟତ ର ସ୍ୱାଭିମାନୀ ଯୁବକ ଓ ବୁଦ୍ଧିଜୀବୀ ଆନ୍ଦୋଲନ କରିବା ସହ ଆମରଣ ଅନଶନ କରିବେ ବୋଲି ଯୁବ ସମାଜସେବୀ ବଳରାମ ଦଳାଇ ସୂଚନା ଦେଇଛନ୍ତି ।


