
ଭୁବନେଶ୍ୱର,: ସୌମ୍ୟାଶ୍ରୀ ମୃତୁ୍ୟ ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଆଇଜି ଏସ୍. ସାଇନି ହଠାତ୍ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଅନ୍ୟ ଏକ ଅଧିକାରୀଙ୍କୁ ସ୍ଥାନିତ କରିବା ନିଷ୍ପତ୍ତିକୁ ନେଇ ତଦନ୍ତ ବାଟବଣା ହେବାର ସନେ୍ଦହ ସୃଷ୍ଟି ହୋଇଛି । ଏବିଭିପିର ୨ ସଦସ୍ୟଙ୍କୁ ଗିରଫର ୨୪ ଘଣ୍ଟା ମଧ୍ୟରେ ସାଇନି ଦାୟିତ୍ୱରୁ ଅପସରି ଯିବା ସମଗ୍ର ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ଏବିଭିପି ଓ ଶାସକ ଦଳର ସମ୍ପୃକ୍ତି ସାର୍ବଜନୀନ ହେବା ଭୟରେ ସରକାରଙ୍କ ନିଦେ୍ର୍ଦଶରେ ଏହି କାର୍ୟ୍ୟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ପ୍ରଥମରୁ ବାଲେଶ୍ୱର ପୋଲିସ୍କୁ କ୍ଲିନ୍ଚିଟ୍ ଦେଇଥିବା କ୍ରାଇମବ୍ରାଞ୍ଚ ଡିଜି ପରବର୍ତ୍ତୀ ସମୟରେ ଆଇଜି ଏସ୍. ସାଇନିଙ୍କୁ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସୌମ୍ୟାଶ୍ରୀଙ୍କ ମୃତୁ୍ୟରେ ଏବିଭିପିର ସମ୍ପୃକ୍ତି ବାବଦରେ କ୍ରାଇମବ୍ରାଞ୍ଚ ଖୁଲାସା କରିବା ସହ ଏବିଭିପିର ୨ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏବିଭିପି ଓ ବିଜେପିର କୁତ୍ସିତ ଚେହେରା ପଦାକୁ ଆସିଥିଲା । ଏଥିରେ ଆହୁରି କିଛି ଏବିଭିପି ସଦସ୍ୟ ଓ ବିଜେପିର ନେତାମାନଙ୍କ ସମ୍ପୃକ୍ତି ରହିଛି ବୋଲି ସନେ୍ଦହ ପ୍ରକାଶ ପାଇଥିଲା । ତଦନ୍ତ ଆଗକୁ ବଢ଼ିଲେ ଏବିଭିପି ଓ ବିଜେପିର ନେତାଙ୍କ ସମ୍ପୃକ୍ତି ପଦାକୁ ଆସିବାର ଭୟ ଥିବାରୁ ଏସ୍. ସାଇନିଙ୍କୁ ତଦନ୍ତ ପ୍ରକି୍ରୟାରୁ ଅନ୍ତର କରାଯାଇଛି ବୋଲି ଡ଼ ସାମନ୍ତସିଂହାର ଅଭିଯୋଗ କରିଥିଲେ ।
ବିଧାୟକ ଶ୍ରୀ ଦାସ କହିଥିଲେ, ବିରୋଧୀ ଦଳ ଏବଂ ଗଣମାଧ୍ୟମର ଚାପରେ, ଘଟଣାର ୨୨ ଦିନ ପରେ ୨ ଜଣ ଏବିଭିପି କର୍ମକର୍ତ୍ତାଙ୍କୁ ୩ ତାରିଖ ରାତିରେ ଗିରଫ କରାଯାଇଥିଲା । ଏହାର ୨୪ ଘଣ୍ଟା ମଧ୍ୟରେ ଏସ୍. ସାଇନି ଛୁଟିରେ ଯାଇଥିଲେ । ଏହାପରେ ସ୍ପଷ୍ଟ ହୋଇଛି ଯେ, ଘଟଣାରେ ବିଜେପିର ବଡ଼ ନେତାଙ୍କ ସମ୍ପୃକ୍ତି ଖୁଲାସା ହେବା ଆଶଙ୍କାରେ ସରକାର ଭୟଭୀତ ହୋଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । ତେଣୁ ସୌମ୍ୟାଶ୍ରୀ ମୃତୁ୍ୟ ଭଳି ଗୋଟିଏ ସମ୍ବେଦନଶୀଳ ଘଟଣାରେ ଅଚାନକ ତଦନ୍ତ ଅଧିକାରୀଙ୍କୁ ଛୁଟିରେ ପଠାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କେଉଁ ସ୍ୱାର୍ଥରେ କରାଯାଇଛି, ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ୟ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ଦାସ କହିଥିଲେ ।