
ଉମରକୋଟ: ତେଲେଙ୍ଗାନା କୀସରା ଥାନାଠାରେ ସଡ଼କ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାର ତିନି ଶ୍ରମିକଙ୍କ ମୃତ୍ୟୁ ଘଟିଛି। କୀସରା ଠାରେ ଏକ ପିକଅପ ଗାଡି ତିନି ଜଣ ଶ୍ରମିକଙ୍କୁ ଧକ୍କା ଦେବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବୋକାଡବେଢ଼ା ଗ୍ରାମର ନାରାୟଣ ଭତ୍ରା, ଚେତମନ ଭତ୍ରା ଏବଂ ଜୟରାମ ଭତ୍ରା।ଏହି ତିନି ଜଣ କିଛି ଦିନ ତଳେ କାମ କରିବା ପାଇଁ ତେଲେଙ୍ଗାନାର ଶାମିରପେଟ୍ ଯାଇଥିଲେ। ସେଠାରେ ରାସ୍ତାକଡ଼ରେ ଥିବା ଚାରା ପାଖରେ ଘାସ ସଫା କରିବାରେ ନିୟୋଜିତ ଥିଲେ। ତେବେ ଘଟଣା ଦିନ ସକାଳୁ କାମ ସାରି ମଧ୍ୟାହ୍ନ ଭୋଜନ ପରେ ରାସ୍ତା ପାଖରେ ବିଶ୍ରାମ ନେଇଥିବା ସମୟରେ ବିଶାଖାପାଟଣାର ଗଜୁୱାକାରୁ ମେଡଚାଲ ଯାଉଥିବା ଏକ ମାଲବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା କଡ଼ିରେ ଥିବା ରେଲିଂରେ ଧକ୍କା ଦେଇଥିଲା ଏବଂ ବିଶ୍ରାମ କରୁଥିବା ଶ୍ରମିକଙ୍କ ଭିଡ଼ ଭିତରକୁ ପଶିଯାଇଥିଲା।
କିଛି ଶ୍ରମିକ ସେଠାରୁ ଚାଲିଯିବାରେ ସଫଳ ହୋଇଥିଲେ, କିନ୍ତୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ମଙ୍ଗଳବାର ସେମାନଙ୍କ ଶବ ବ୍ୟବଛେଦ ସରିଥିବାବେଳେ ବୁଧବାର ସକାଳେ ସେମାନଙ୍କ ଶବ ବୋକଡାବେଢ଼ାରେ ପହଞ୍ଚିବ । ଝରିଗାଁ ବିଡ଼ିଓଙ୍କ ସୂଚନା ଅନୁସାରେ ପ୍ରଶାସନର ସହଯୋଗରେ ତିନି ଜଣଙ୍କ ଶବ ଓଡ଼ିଶା ଆସୁଛି। ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ।




