
ମାଲକାନାଗିରି: ବଣ ପାହାଡ ଘେରା ଅଂଚଳ । ଯୁଆଡେ ବି ଆଖି ବୁଲାଇଲେ ଖାଲି ପାହାଡ ଆଉ ପାହାଡ । ସବୁଜିମାରେ ପରିପୂର୍ଣ୍ଣ ପରିବେଶ । ଆଉ ପାହାଡ ଘେରା ଅଂଚଳର ଛାତି ଉପରେ ବସବାସ କରୁଛନ୍ତି ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ଲୋକେ । ରାସ୍ତା ଘାଟ ସବୁ ଅଣଓସାରିଆ ସାଙ୍ଗକୁ ନୂଆଣିଆ ଉଠାଣିଆ । ଗାଁକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ । ଝାଟି ମାଟିର ଘର । ହେଲେ ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହାରି ନଥିଲେ ସେ । ଆଖିରେ ଆଖିଏ ସ୍ୱପ୍ନ ନେଇ ପାହାଡର ଛାତି ଚିରି ନିଜ ସମ୍ପ୍ରଦାୟର ଭାଇ ଭଉଣୀଙ୍କୁ ଭଲ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ରାତି ଦିନ ଏକ କରିଦେଇଥିଲେ । ଆମେ କହୁଛୁ ଚମ୍ପା ରାସପେଦାଙ୍କ କଥା । ଯିଏ ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ଡାକ୍ତର ହେବାକୁ ଯାଉଛନ୍ତି ।ମାଲକାନଗିରି ଜିଲ୍ଲା ସ୍ବାଭିମାନ ଓ ବଣ୍ଡାଘାଟିର ପାଦ ଦେଶରେ ଥିବା ଆମଲିଗୁଡା ଗ୍ରାମର ଦିଦାୟୀ ଝିଅ ବନିବାକୁ ଯାଉଛନ୍ତି ଡାକ୍ତର । ୫ ବର୍ଷ ବୟସରୁ ହୋଷ୍ଟେଲରେ ରହି ପାଠ ପଢୁଥିଲେ କିନ୍ତୁ ହୋଷ୍ଟେଲ ଆସିବା ପାଇଁ ୨୦ କିଲୋମିଟର ପାହାଡ ଓହ୍ଲାଇବା ଓ ଚଢିବାକୁ ପଡୁଥିଲା । ତାଂକର ଇଛାଶକ୍ତି ଦେଖି ଜଣେ ବିଜ୍ଞାନ ଶିକ୍ଷକ ବାଲେଶ୍ବରରେ ନିଜ ଘରେ ରଖି ସମସ୍ତ ଖର୍ଚ୍ଚ ବହନ କରି ତାଂକୁ କୋଚିଂ ଦେଇଥିଲେ । ପ୍ରଥମ ଥର ନିଟ୍ ଦେଇ କୃତକାର୍ୟ୍ୟ ହୋଇଛନ୍ତି ଦିଦାୟୀ ସମ୍ପ୍ରଦାୟର ଝିଅ ଚମ୍ପା ରାସପେଦା । ଏପଟେ ପରିବାର ଆର୍ଥିକ ଅନାଟନରେ ଗତିକରୁଥିବା ବେଳେ ଝିଅ ଡାକ୍ତର ହେବା ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ । ତେବେ ଚମ୍ପା ସମସ୍ତ ଶ୍ରେୟ ସଂପୃକ୍ତ ଶିକ୍ଷକ ଓ ତାଂକ ବାପାଙ୍କୁ ଦେଇଛନ୍ତି ।




