ନୀରବ ରହି ନବୀନଙ୍କ ଚିଠି ଉପରେ ଟିପ୍ପଣୀ ଦେବା ବିଜେପି ନେତୃବୃନ୍ଦଙ୍କ ହୀନମନ୍ୟତାର ପରିଚୟ

ଭୁବନେଶ୍ୱର,: ଡିଲିମିଟେସନ ପରେ ଦେଶର ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଓଡ଼ିଶାର ଏମପିମାନଙ୍କୁ ଲେଖିଥିବା ଚିଠି ଉପରେ ବିଜେପି ନେତୃବୃନ୍ଦମାନେ ଦେଇଥିବା ପ୍ରତିକ୍ରିୟା ଉପରେ ବିଜେଡି ପାଲଟା ଜବାବ ରଖିଛି । ନବୀନ ଉଠାଇଥିବା ପ୍ରସଙ୍ଗ ରାଜ୍ୟର ହିତ ଦୃଷ୍ଟିରୁ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇଥିବା ବେଳେ, ବିଜେପି ନେତୃବୃନ୍ଦଙ୍କ ପ୍ରତିକ୍ରିୟା କେବଳ ତାଙ୍କର ହୀନମନ୍ୟତାର ପରିଚୟ ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ରାଜ୍ୟ ବିଜେପି ସରକାର ବାରମ୍ୱାର ବିଫଳ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନବୀନ ପଟ୍ଟନାୟକ ଉଠାଇଥିବା ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ, ପ୍ରସଙ୍ଗ ଉପରେ ମନ୍ତବ୍ୟ ନରଖି ନବୀନଙ୍କ ଚିଠି ଉପରେ ଟିପ୍ପଣୀ ଦେବା, ତାଙ୍କର ଦାୟିତ୍ୱହୀନତା ଓ ହୀନମନ୍ୟତାର ପରିଚୟ ଦେଇଛି ।
ଡ. ଲେନିନ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନ କ୍ଷେତ୍ରରେ, ସମଗ୍ର ଦେଶରେ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁ ଓ ପରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ମହିଳା ମାନଙ୍କୁ ସଂସଦ ଓ ବିଧାନସଭା କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ଦେଶରେ ପ୍ରୟାସ ଆରମ୍ଭ ହେବାବେଳେ, ୨୦୧୮ ମସିହାରେ ରାଜ୍ୟ ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରିବା ସହିତ ଦେଶର ୨୨ଟି ରାଜନୈତିକ ଦଳର ନେତୃତ୍ୱଙ୍କୁ ବିଜେଡିର ପ୍ରତିନିଧି ମଣ୍ଡଳୀ ଭେଟି, ଏହାକୁ ସମର୍ଥନ କରିବା ପାଇଁ ପ୍ରବର୍ତ୍ତାଇଥିଲେ ।
ଡ଼ ମହାନ୍ତି କହିଥିଲେ, ଡିଲିମିଟେସନ ମାଧ୍ୟମରେ ସଂସଦର ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ପ୍ରସଙ୍ଗରେ, ନବୀନ ପଟ୍ଟନାୟକ ପ୍ରାୟ ଏକ ବର୍ଷ ତଳୁ ଜନସଂଖ୍ୟା ଆଧାରରେ ଆସନ ବୃଦ୍ଧି ହେଲେ ଓଡ଼ିଶାର ପ୍ରତିନିଧିତ୍ୱ କମିବାର ଆଶଙ୍କା ରହିଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ, ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୫୪୩ରୁ ୨୧ ସାଂସଦ ଥିଲା ବେଳେ ଏହା ୩.୯ପ୍ରତିଶତ ଥିଲା ବେଳେ ନୂତନ ପ୍ରସ୍ତାବ ଅନୁଯାୟୀ ସାଂସଦ ସଂଖ୍ୟା ୮୫୦କୁ ବୃଦ୍ଧି ପାଇବାକୁ ଯାଉଥିବା ବେଳେ ଓଡ଼ିଶାର ସାଂସଦ ସଂଖ୍ୟା ୨୯କୁ ବୃଦ୍ଧି ପାଇବ, ଯାହା ସମୁଦାୟ ସାଂସଦର ୩.୪ ପ୍ରତିଶତ । ଏଥିରୁ ଓଡ଼ିଶାର ପ୍ରତିନିଧିତ୍ୱ ୦.୫ ପ୍ରତିଶତ କ୍ଷତି ହେଉଥିବା ସ୍ପଷ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟର ହିତ ଦୃଷ୍ଟିରୁ ପଦକ୍ଷେପ ନେବା ପରିବର୍ତ୍ତେ, ବିଜେପି ନେତୃବୃନ୍ଦ ଯଥା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୂଳ ପ୍ରସଙ୍ଗ ଉପରେ ନିରବ କେବଳ ଟୀକା ଟିପ୍ପଣୀରେ ସୀମିତ ରଖିଛନ୍ତି, ଯାହାକୁ ଆମେ ନିନ୍ଦା କରୁଛୁ ।
ଶ୍ରୀ ମିହିର ରାୟ କହିଥିଲେ, ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ସାଂସଦ ମାନଙ୍କୁ ଲେଖିଥିବା ଚିଠିରେ ସାଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଉଥିବା କଥା ଉଲ୍ଲେଖ କରିବା ସହିତ ଏହାକୁ ମିଳିତ ଭାବେ କିପରି ବିରୋଧ କରାଯାଇ ପାରିବ, ସେନେଇ ପ୍ରସ୍ତାବ ରଖିଛନ୍ତି । ରାଜ୍ୟର ସ୍ୱାର୍ଥ ବ୍ୟାହତ ହେଉଥିବା ନବୀନଙ୍କ ଚିଠିରୁ ସ୍ପଷ୍ଟ ହେଉଥିବା ବେଳେ, ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗରୁ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନବୀନ ଉଠାଇଥିବା ପ୍ରସଙ୍ଗ ଉପରେ, ନିଜର ମନ୍ତବ୍ୟ ନରଖି ନବୀନ ରାହୁଲଙ୍କ ମନ୍ତବ୍ୟ ସହିତ ସ୍ୱର ମିଳାଇଛନ୍ତି ବୋଲି ଶ୍ରୀ ପୂଜାରୀ, ଦେଇଥିବା ମନ୍ତବ୍ୟ ତାଙ୍କର ହୀନମନ୍ୟତାକୁ ଦର୍ଶାଇଛି । ସେହିପରି, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ ମଧ୍ୟ ଗ୍ରହଣୀୟ ନୁହେଁ । ଓଡିଶାର ପ୍ରତିନିଧିତ୍ୱ କମିଯିବାର ଯେଉଁ ଆଶଙ୍କା ପ୍ରକାଶ ପାଇଛି ସେଥିନେଇ ଉଭୟ ନିରବ ରହିଛନ୍ତି । ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ, ଲଗାତର ଭାବେ ବିଭିନ୍ନ ପ୍ରସଙ୍ଗରେ ଓଡିଶା କେନ୍ଦ୍ର ଅବହେଳାର ଶିକାର ହେଉଥିବା ବେଳେ ରାଜ୍ୟ ବିଜେପି ସରକାର ଓ ୨୦ ବିଜେପି ସାଂସଦ ରହସ୍ୟମୟ ନିରବତା ଅବଲମ୍ୱନ କରୁଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ କମିଗଲା, ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଆନ୍ଧ୍ର ପ୍ରଦେଶକୁ ୧୫,୦୦୦ କୋଟି ସ୍ୱତନ୍ତ୍ର ଅନୁଦାନ ଦିଆଗଲା, କୋଟିଆକୁ ଆନ୍ଧ୍ର ନିୟନ୍ତ୍ରଣରେ ନେଇଚାଲିଛି, ପଲାସା ଓ ଇଚ୍ଛାପୁରମକୁ ଇଷ୍ଟକୋଷ୍ଟରୁ କାଢି ସାଉଥକୋଷ୍ଟ ହାତକୁ ଟେକି ଦିଆଗଲା ଓ ବଂଶଧାରା ନଦୀରେ ନେରେଡି ଡ୍ୟାମ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ପ୍ରଦାନ ହେଲା, କିନ୍ତୁ ବିଜେପି ସାଂସଦ ମାନଙ୍କର ଓ ରାଜ୍ୟ ବିଜେପି ନେତୃତ୍ୱଙ୍କ ପାଟିରେ ତାଲା ପଡିଛି । ତେଣୁ ଓଡ଼ିଶାର ପ୍ରତିନିଧିତ୍ୱ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ମାନେ ଏକତ୍ରିତ ହୋଇ ଓଡ଼ିଶାର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସମ୍ମିଳିତ ପ୍ରୟାସ କରିବା ନିମନ୍ତେ ନବୀନଙ୍କ ଆହ୍ୱାନକୁ ସ୍ୱାକାର କରି ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ରାୟ କହିଥିଲେ ।

  • Related Posts

    ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା

    ନୂଆଦିଲ୍ଲୀ: ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା। ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ…

    Continue reading
    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ