
କର୍ଣ୍ଣାଟକା: କର୍ଣ୍ଣାଟକାର ନୂଆ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ସହିତ ବୁଧବାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ରାମଲିଙ୍ଗା ରେଡ୍ଡୀ। ହେଲେ ଶୁକ୍ରବାର ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ନେତୃତ୍ୱାଧୀନ ସରକାର ଏକ ଅପ୍ରୀତିକର ସ୍ଥିତିରେ ପଡ଼ିଯାଇଛି।
ବିଭାଗ ବଣ୍ଟନକୁ ନେଇ ରାମଲିଙ୍ଗା ରେଡ୍ଡୀ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ବିଷୟରେ ସ୍ପଷ୍ଟ କରି ରେଡ୍ଡୀ ଦାବି କରିଛନ୍ତି ଯେ ଡି.କେ. ଶିବକୁମାର ନିଜେ ତାଙ୍କୁ ‘ବେଙ୍ଗାଲୁରୁ ବିକାଶ’ ବିଭାଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କୁ ‘ଜଳସେଚନ’ ବିଭାଗ ଆବଣ୍ଟନ କରାଗଲା। ସେ କହିଛନ୍ତି, ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମୋ ଘରକୁ ଆସିଥିଲେ। ସେ ମୋତେ କହିଥିଲେ ଯେ ମୋତେ ବେଙ୍ଗାଲୁରୁ ବିଭାଗ ଦିଆଯିବ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଭାଗ ମାଗି ନଥିଲି। ସେ ନିଜ ଆଡ଼ୁ ଏହି ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ହଁ କହିଥିଲି। ମୁଖ୍ୟମନ୍ତ୍ରୀ ମୋତେ ଦୁଇ ଦୁଇ ଥର ଏହି ବିଭାଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ଜଳସେଚନ ବିଭାଗ ଦାୟିତ୍ୱ ଦେଲେ। ଏହି ବିଭାଗରେ ମୁଁ କାମ କରିବାକୁ ଚାହେଁନାହିଁ। ତେଣୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ରାମଲିଙ୍ଗା ରେଡ୍ଡୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଏବେ ଯଦି ତାଙ୍କୁ ତାଙ୍କ ପସନ୍ଦର ବିଭାଗ ମଧ୍ୟ ଅଫର୍ କରାଯାଏ, ତଥାପି ସେ ଡି.କେ. ଶିବକୁମାରଙ୍କ ଅଧୀନରେ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। ସେ କହିଛନ୍ତି, ଏବେ ଯଦି ସେମାନେ ମୋତେ ବେଙ୍ଗାଲୁରୁ ବିକାଶ ବିଭାଗ ଦିଅନ୍ତି, ତଥାପି ମୁଁ ତାହାକୁ ଗ୍ରହଣ କରିବି ନାହିଁ। ମୁଁ ଜଣେ ବିଧାୟକ ଭାବେ କାର୍ଯ୍ୟ କରିବି ଏବଂ କଂଗ୍ରେସ ସହିତ ରହିବି।ରାମଲିଙ୍ଗା ରେଡ୍ଡୀଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ ରାମଲିଙ୍ଗା ରେଡ୍ଡୀ ଜଣେ ବରିଷ୍ଠ ନେତା ତଥା ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ। ସେ ତାଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବେ।
ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ତାଙ୍କର ୧୩ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଥିଲେ। ସୂତ୍ର ଅନୁସାରେ, ରେଡ୍ଡୀ ‘ବେଙ୍ଗାଲୁରୁ ବିକାଶ’ ବିଭାଗ ପାଇଁ ଜିଦ୍ ଧରିଥିଲେ, ଯାହା ତାଙ୍କୁ ଦିଆଯାଇ ନଥିଲା। ବିଭାଗ ଚୂଡ଼ାନ୍ତ କରିବା ପାଇଁ ଗୁରୁବାର ଅନୁଷ୍ଠିତ ବୈଠକରୁ ରେଡ୍ଡୀ ଅଧାରୁ ବାହାରି ଆସିଥିଲେ ବୋଲି ଜଣାପଡ଼ିଛି। ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୩ ମସିହାରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଦେଇଥିଲେ ଯେ, ଯେତେବେଳେ ବି କ୍ୟାବିନେଟ୍ ଅଦଳବଦଳ ହେବ, ତାଙ୍କୁ ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି କୁହାଯାଇଥିଲା।

