
ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଲାଇସେନ୍ସବିହୀନ ଭେଣ୍ଡରଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ମାସିକିଆ ଦାଦାବଟି ଆଦାୟ କରି ଫସିଛନ୍ତି ଆର୍ପିଏଫ୍ ଇନ୍ସପେକ୍ଟର କମଲେଶ ସମାଦାର । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ଚକ୍ରଧରପୁର ରେଳ ଡିଭିଜନର ସିନିୟର ଡିସିଏମ୍ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଟଙ୍କା ଆଦାୟରେ ମଧ୍ୟସ୍ଥି ସାଜିଥିବା ଦଲାଲ ଅଜୟ ମିଶ୍ରକୁ ସିବିଆଇ ଗିରଫ କରିଛି । ଅଭିଯୁକ୍ତ ଇନ୍ସପେକ୍ଟର କମଲେଶ ଓ ଅନ୍ୟ ଜଣେ ଦଲାଲ ସୁଧୀର ଆନନ୍ଦ ଓରଫ ବିଟୁ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି । ଦୁଇଦିନିଆ ସିବିଆଇ ଚଢ଼ଉରୁ ଲାଞ୍ଚଖୋର ଅଧିକାରୀ ଓ ମଧ୍ୟସ୍ଥିଙ୍କ କଳାଚିଠାର ଗୁମର ଖୋଲିଛି ।
ରାଉରକେଲା ରେଳ ଷ୍ଟେସନରେ ଭେଣ୍ଡରମାନେ ଖାଦ୍ୟ ସାମଗ୍ରୀ, ଚା’ ଓ ପାଣି ବୋତଲ ବିକ୍ରି କରୁଥିଲେ । ହେଲେ ସେମାନଙ୍କ ନିକଟରେ ଏଥିନିମନ୍ତେ ବୈଧ ଲାଇସେନ୍ସ ନ ଥିଲା । ଭେଣ୍ଡରମାନଙ୍କୁ ସପ୍ଲାୟର ବିଟୁ ବିସ୍କୁଟ, ପାଣି ବୋତଲ ଯୋଗାଇ ଆସୁଥିଲେ । ପୂର୍ବରୁ ପରିଚିତ ଥିବା ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିଥିଲା । ସେମାନଙ୍କ ପରିଚୟ, ବିନା ଲାଇସେନ୍ସରେ ବ୍ୟବସାୟ କରୁଥିବା ସମ୍ପର୍କିତ ଟିକିନିଖି ତଥ୍ୟ ଇନ୍ସପେକ୍ଟର କମଲେଶ ଏବଂ ଅଜୟକୁ ଦେଇଥିଲା । ଏହାପରେ ସେମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ସମସ୍ତେ ଯୋଜନା କରିଥିଲେ । କିଛିମାସ ହେଲା ଅଜୟ ଓ ବିଟୁ ଭେଣ୍ଡରମାନଙ୍କୁ ଧମକାଇ ମାସିକିଆ ବଟି ଆଦାୟ କରୁଥିଲେ । ଆଦାୟ ଟଙ୍କାକୁ ଇନ୍ସପେକ୍ଟର କମଲେଶଙ୍କ ସହ ମିଶି ଭାଗବାଣ୍ଟି ନେଉଥିଲେ । ବେଆଇନ କାର୍ଯ୍ୟରେ ଆର୍ପିଏଫ୍ର ଜଣେ ପଦସ୍ଥ ଅଧିକାରୀଙ୍କ ହାତ ଥିବାରୁ କେହି ପାଟି ଖୋଲିବାକୁ ସାହସ କରିପାରୁ ନ ଥିଲେ । ଜୀବିକା ବୁଡ଼ିବା ଭୟ ମଧ୍ୟ ଥିଲା । ବଟି ଯନ୍ତ୍ରଣା ଅସହ୍ୟ ହେବା ପରେ ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ କେତେଜଣ ଭେଣ୍ଡର । ଯାଞ୍ଚ ପରେ ସିବିଆଇକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।
ଗତ ଶୁକ୍ରବାର ସନ୍ଧ୍ୟାରେ ସିବିଆଇର ୪ ଜଣିଆ ଟିମ୍ ରେଳ ଷ୍ଟେସନରେ ଚଢ଼ଉ କରିଥିଲେ । ଜଣେ ଭେଣ୍ଡରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଅଜୟକୁ କାବୁ କରିଥିଲେ । ପଚରାଉଚରା ପରେ ଏଥିରେ ଇନ୍ସପେକ୍ଟର କମଲେଶଙ୍କ ସମ୍ପୃକ୍ତି ଥିବା ସେ ସ୍ୱୀକାର କରିଥିଲା । ରାତି ୯ଟାରେ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ଥିବା୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନରେ ଚଢ଼ଉ କରିବାକୁ ସିବିଆଇ ଟିମ୍ ଯାଇଥିଲା। ହେଲେ ଘର ଲୋକ ବିରୋଧ କରିଥିଲେ । ଯୁକ୍ତିତର୍କ ମଧ୍ୟରେ ଇନ୍ସପେକ୍ଟର ଖସି ପଳାଇବାରେ ସଫଳ ହୋଇଥିଲେ । ସିବିଆଇ ଟିମ୍ ଘରେ ଛାନ୍ଭିନ୍ କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । ଗୋପବନ୍ଧୁପାଲିରେ ରହୁଥିବା ଅଜୟ ଏବଂ ମଧୁସୂଦନ ମାର୍ଗ ଅଞ୍ଚଳର ବାସିନ୍ଦା ବିଟୁର ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ବିଟୁର ଘରୁ ଅନେକ କାଗଜପତ୍ର ଜବତ କରାଯାଇଛି । ଅଜୟର ମୋବାଇଲ ଫୋନ୍ ଜବତ କରି ସିବିଆଇ ଟିମ୍ ଖୋଳତାଡ଼ କରିଛି । ତାକୁ ଗିରଫ କରି ଭୁବନେଶ୍ୱର ନିଆଯାଇଛି । ଫେରାର ଇନ୍ସପେକ୍ଟର କମଲେଶ ଏବଂ ବିଟୁକୁ ଧରିବା ଲାଗି ସିବିଆଇର ଅନ୍ୟ ଏକ ଟିମ୍ ଚଢ଼ଉ ଜାରି ରଖିଛି ।


