ଆରପିଏଫ୍‌ ଇନ୍ସପେକ୍ଟର ସସ୍‌ପେଣ୍ଡ

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଲାଇସେନ୍ସବିହୀନ ଭେଣ୍ଡରଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ମାସିକିଆ ଦାଦାବଟି ଆଦାୟ କରି ଫସିଛନ୍ତି ଆର୍‌ପିଏଫ୍‌ ଇନ୍ସପେକ୍ଟର କମଲେଶ ସମାଦାର । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ଚକ୍ରଧରପୁର ରେଳ ଡିଭିଜନର ସିନିୟର ଡିସିଏମ୍‌ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଟଙ୍କା ଆଦାୟରେ ମଧ୍ୟସ୍ଥି ସାଜିଥିବା ଦଲାଲ ଅଜୟ ମିଶ୍ରକୁ ସିବିଆଇ ଗିରଫ କରିଛି । ଅଭିଯୁକ୍ତ ଇନ୍ସପେକ୍ଟର କମଲେଶ ଓ ଅନ୍ୟ ଜଣେ ଦଲାଲ ସୁଧୀର ଆନନ୍ଦ ଓରଫ ବିଟୁ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି । ଦୁଇଦିନିଆ ସିବିଆଇ ଚଢ଼ଉରୁ ଲାଞ୍ଚଖୋର ଅଧିକାରୀ ଓ ମଧ୍ୟସ୍ଥିଙ୍କ କଳାଚିଠାର ଗୁମର ଖୋଲିଛି ।
ରାଉରକେଲା ରେଳ ଷ୍ଟେସନରେ ଭେଣ୍ଡରମାନେ ଖାଦ୍ୟ ସାମଗ୍ରୀ, ଚା’ ଓ ପାଣି ବୋତଲ ବିକ୍ରି କରୁଥିଲେ । ହେଲେ ସେମାନଙ୍କ ନିକଟରେ ଏଥିନିମନ୍ତେ ବୈଧ ଲାଇସେନ୍ସ ନ ଥିଲା । ଭେଣ୍ଡରମାନଙ୍କୁ ସପ୍ଲାୟର ବିଟୁ ବିସ୍କୁଟ, ପାଣି ବୋତଲ ଯୋଗାଇ ଆସୁଥିଲେ । ପୂର୍ବରୁ ପରିଚିତ ଥିବା ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିଥିଲା । ସେମାନଙ୍କ ପରିଚୟ, ବିନା ଲାଇସେନ୍ସରେ ବ୍ୟବସାୟ କରୁଥିବା ସମ୍ପର୍କିତ ଟିକିନିଖି ତଥ୍ୟ ଇନ୍ସପେକ୍ଟର କମଲେଶ ଏବଂ ଅଜୟକୁ ଦେଇଥିଲା । ଏହାପରେ ସେମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ସମସ୍ତେ ଯୋଜନା କରିଥିଲେ । କିଛିମାସ ହେଲା ଅଜୟ ଓ ବିଟୁ ଭେଣ୍ଡରମାନଙ୍କୁ ଧମକାଇ ମାସିକିଆ ବଟି ଆଦାୟ କରୁଥିଲେ । ଆଦାୟ ଟଙ୍କାକୁ ଇନ୍ସପେକ୍ଟର କମଲେଶଙ୍କ ସହ ମିଶି ଭାଗବାଣ୍ଟି ନେଉଥିଲେ । ବେଆଇନ କାର୍ଯ୍ୟରେ ଆର୍‌ପିଏଫ୍‌ର ଜଣେ ପଦସ୍ଥ ଅଧିକାରୀଙ୍କ ହାତ ଥିବାରୁ କେହି ପାଟି ଖୋଲିବାକୁ ସାହସ କରିପାରୁ ନ ଥିଲେ । ଜୀବିକା ବୁଡ଼ିବା ଭୟ ମଧ୍ୟ ଥିଲା । ବଟି ଯନ୍ତ୍ରଣା ଅସହ୍ୟ ହେବା ପରେ ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ କେତେଜଣ ଭେଣ୍ଡର । ଯାଞ୍ଚ ପରେ ସିବିଆଇକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।

ଗତ ଶୁକ୍ରବାର ସନ୍ଧ୍ୟାରେ ସିବିଆଇର ୪ ଜଣିଆ ଟିମ୍‌ ରେଳ ଷ୍ଟେସନରେ ଚଢ଼ଉ କରିଥିଲେ । ଜଣେ ଭେଣ୍ଡରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଅଜୟକୁ କାବୁ କରିଥିଲେ । ପଚରାଉଚରା ପରେ ଏଥିରେ ଇନ୍ସପେକ୍ଟର କମଲେଶଙ୍କ ସମ୍ପୃକ୍ତି ଥିବା ସେ ସ୍ୱୀକାର କରିଥିଲା । ରାତି ୯ଟାରେ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ଥିବା୍‌ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନରେ ଚଢ଼ଉ କରିବାକୁ ସିବିଆଇ ଟିମ୍‌ ଯାଇଥିଲା। ହେଲେ ଘର ଲୋକ ବିରୋଧ କରିଥିଲେ । ଯୁକ୍ତିତର୍କ ମଧ୍ୟରେ ଇନ୍ସପେକ୍ଟର ଖସି ପଳାଇବାରେ ସଫଳ ହୋଇଥିଲେ । ସିବିଆଇ ଟିମ୍‌ ଘରେ ଛାନ୍‌ଭିନ୍‌ କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । ଗୋପବନ୍ଧୁପାଲିରେ ରହୁଥିବା ଅଜୟ ଏବଂ ମଧୁସୂଦନ ମାର୍ଗ ଅଞ୍ଚଳର ବାସିନ୍ଦା ବିଟୁର ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ବିଟୁର ଘରୁ ଅନେକ କାଗଜପତ୍ର ଜବତ କରାଯାଇଛି । ଅଜୟର ମୋବାଇଲ ଫୋନ୍‌ ଜବତ କରି ସିବିଆଇ ଟିମ୍‌ ଖୋଳତାଡ଼ କରିଛି । ତାକୁ ଗିରଫ କରି ଭୁବନେଶ୍ୱର ନିଆଯାଇଛି । ଫେରାର ଇନ୍ସପେକ୍ଟର କମଲେଶ ଏବଂ ବିଟୁକୁ ଧରିବା ଲାଗି ସିବିଆଇର ଅନ୍ୟ ଏକ ଟିମ୍‌ ଚଢ଼ଉ ଜାରି ରଖିଛି ।

  • Related Posts

    ୨୦୪ ଜିଏମ୍ଏପିଭିର ଭିତ୍ତିପ୍ରସ୍ତର, ଆଜି ଖୋର୍ଦ୍ଧାରେ ଶିଳାନ୍ୟାସ କରି​‌ବେ ମୁଖ୍ୟମନ୍ତ୍ରୀ

    ଖୋର୍ଦ୍ଧା: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନାରେ ସାମିଲ ହେବେ ଆଉ ୨୦୪ ସ୍କୁଲ । ଆଜି ଏହାର ପଡ଼ିବ ଭିତ୍ତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିବେ । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ…

    Continue reading
    ୨୨ ତାରିଖରୁ ୟୁଜିସି ନେଟ୍ ଆରମ୍ଭ

    ଭୁବନେଶ୍ୱର: ୟୁଜିସି ନେଟ୍ ୨୦୨୬ ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ୨୨ ତାରିଖରୁ ୩୦ ତାରିଖ ଯାଏ ପରୀକ୍ଷା ହେବ । ସିବିଟି ମୋଡ୍‌ରେ ପରୀକ୍ଷା ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଏନ୍‌ଟିଏ ପକ୍ଷରୁ ପ୍ରକାଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ