
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ହେବ । ହଷ୍ଟେଲ ପାଇଁ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ଅନୁମୋଦନ କରାଯାଇଛି । ପ୍ରକଳ୍ପ IDCO ଜରିଆରେ କାର୍ଯ୍ୟକାରୀ ହେବ । ୨୧୦.୩୬ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ଅନୁମୋଦନ ହୋଇଛି । ଏହାକୁ SASCI ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଛି । ୨୪ ମାସ ଅବଧି ମଧ୍ଯରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ । ଏହି ଶ୍ରମିକ ହଷ୍ଟେଲ ୪୦୦୦ ମହିଳା କର୍ମଚାରୀଙ୍କ ପାଇଁ ସେବା ଯୋଗାଇବ । ସୁରକ୍ଷା, ଉତ୍ପାଦକତା ପରିବେଶ, ୟୁନିଟ ପିଛା ଖର୍ଚ୍ଚ ସଞ୍ଚୟ ଏବଂ କର୍ମସ୍ଥଳୀକୁ କମ୍ ଯାତ୍ରା ସମୟ ସୁନିଶ୍ଚିତ କରିବ ।
କାଲିବେଟି ଶିଳ୍ପ ପାର୍କରେ MAS Holdings, EPIC ଏବଂ Indian Stitches ସମେତ ପ୍ରମୁଖ ବୟନ ଏବଂ ପୋଷାକ କମ୍ପାନୀଗୁଡ଼ିକ ଦ୍ବାରା ପୁଞ୍ଜିନିବେଶ ହୋଇଛି । ଏହି କମ୍ପାନୀଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ୨୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଆଶା କରାଯାଉଛି । ବିଶ୍ବ ବୟନ କର୍ମଶକ୍ତିର ୬୫-୭୦% ମହିଳା ହୋଇଥିବାରୁ ମହିଳା ଶ୍ରମିକଙ୍କ ପାଇଁ ସୁରକ୍ଷିତ ଏବଂ ସୁସଜ୍ଜିତ ବାସସ୍ଥାନର ଚାହିଦା ପୂରଣ ଓଡ଼ିଶା ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଲିବେଟି ଶିଳ୍ପାଞ୍ଚଳ ନିକଟରେ ମହିଳା ଶ୍ରମିକମାନଙ୍କୁ ଏକ ନିରାପଦ ବାସସ୍ଥାନ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସାମାଜିକ ଏବଂ ସାମୁଦାୟିକ ଭିତ୍ତିଭୂମି ସହିତ ଶିଳ୍ପ କ୍ଷେତ୍ରରେ ମହିଳା ଶ୍ରମିକ ହଷ୍ଟେଲ ବିକଶିତ କରାଯିବ ।


