
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ କରିଛନ୍ତି । ରାଜ୍ୟରେ ପର୍ଯ୍ୟଟନ ନେତୃତ୍ବାଧୀନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ । ଆତିଥ୍ୟ କ୍ଷେତ୍ରରେ ବଡ଼ ପରିମାଣର ନିବେଶକୁ ଆକର୍ଷିତ କରିବା ପାଇଁ ଏହି ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି । ଯୋଜନାରେ ୫,୫୦୦ ଏକର ଜମି ଚିହ୍ନଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ଏଥିପାଇଁ ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ମୋଟ ୧,୫୦୦ କୋଟି ଟଙ୍କା ବ୍ୟୟ ବରାଦ ହେବ ।


