
ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ତିଲେଇବଣି ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ଏଥିରେ ସାମିଲ କରାଯାଇ ମୁଣ୍ଡପିଛା ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ପ୍ରଦାନ କରାଯିବା ସହ ପ୍ରତ୍ୟେକ ହିତାଧିକାରୀ ଚାଉଳର ପରିମାଣ ୫ କିଲୋଗ୍ରାମରୁ ୧୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି। ମାଗଣାରେ ମୁଣ୍ଡ ପିଛା ୧୦ କେଜି ଚାଉଳ ଦିଆଯିବ ଏବଂ ଏହି ଯୋଜନା ଚଳିତ ବର୍ଷ ଏପ୍ରିଲରୁ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ୬୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧାରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ବହୁ ହିତାଧିକାରୀ ଏବଂ ଏସଏଚଜି ମହିଳାଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ। ଡିଆଇପିଆରଓ ମନୋରଞ୍ଜନ ସୁତାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


