
ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ତେବେ ପାଣିପାଗ ସ୍ଥିତି ଉପରେ ସରକାରଙ୍କ ନଜର ରହିଥିବାବେଳେ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ ନୂଆ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଗତ କିଛି ଦିନ ଧରି ତାପମାତ୍ରାରେ ଉତ୍ତାର-ଚଢ଼ାଉ ଦେଖିବାକୁ ମିଳୁଥିବାବେଳେ କେତେକ ସ୍ଥାନରେ ଏବେ ବି ଗ୍ରୀଷ୍ମ ପ୍ରବାହର ପ୍ରଭାବ ରହିଛି । ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ନେଇ ଅଭିଭାବକଙ୍କ ମଧ୍ୟରେ ସନ୍ଦେହ ଓ ଆଶଙ୍କା ଦେଖାଦେଇଥିଲା । ହେଲେ ସରକାର ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଆକଳନ କରି ଜୁନ୍ ୧୮ରୁ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ଯଦି ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ପୁଣି ବୃଦ୍ଧି ପାଏ କିମ୍ବା ପାଣିପାଗ ଅଧିକ ପ୍ରତିକୂଳ ହୁଏ, ତେବେ ସରକାରଙ୍କ ସହ ଆଲୋଚନା କରି ପରିସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯିବ । ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍କୁଲଗୁଡ଼ିକରେ ପାନୀୟ ଜଳ, ପର୍ୟ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ । ଅନ୍ୟପଟେ ସ୍କୁଲ ଖୋଲିବା ଖବର ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ଦିନର ଗ୍ରୀଷ୍ମ ଛୁଟି ପରେ ପୁଣି ଥରେ ଶ୍ରେଣୀଗୃହକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଛାତ୍ରଛାତ୍ରୀ । ଏବେ ସମସ୍ତଙ୍କ ନଜର ପାଣିପାଗ ଉପରେ ରହିଛି । ଆଗାମୀ କିଛି ଦିନର ପାଗ ପରିସ୍ଥିତି ହିଁ ସ୍କୁଲ ଖୋଲିବା ନିଷ୍ପତ୍ତିର ଭବିଷ୍ୟତ ନିର୍ଣ୍ଣୟ କରିପାରେ ।


