
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ ସାନ ଭାଇଟାଙ୍ଗିଆରେ ହାଣି ବଡ଼ ଭାଇକୁ ହତ୍ୟା କରିଛି। ସୂଚନା ମୁତାବକ, ମାଣିକଯୋଡି ପଞ୍ଚାୟତ ପୋକୁଣ୍ଡା ଗାଁର ଟିଟୁନ ସିଠ (୩୭) ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମଦ୍ୟପାନ କରି ଘରକୁ ଫେରିଥିବା ବେଳେ ଘର ଫାଟକ କେହି ଖୋଲିନଥିଲେ। ଫଳରେ ସେ ପରିବାର ଲୋକଙ୍କୁ ଗାଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ବିପିନ ସିଠ ଏକ ଟାଙ୍ଗିଆରେ ବଡ଼ ଭାଇ ଟିଟୁନଙ୍କ ବେକକୁ ଚୋଟ ପକାଇ ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସକାଳେ ଖବର ପାଇ ପୁରୁଣାକୋଟ ଥାନା ପୁଲିସ ପୋକୁଣ୍ଡା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଅଭିଯୁକ୍ତ ବିପିନକୁ ପୁଲିସ କାବୁ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।


