
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ଚୋରି ହେବା ଏବଂ ଏହାକୁ ନେଇ ଥାନାରେ ଏତଲା ଦାଏର କରାଯିବାକୁ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ ରବିବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ପ୍ରକୃତରେ ଫାଇଲ ଚୋରି ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚୋରି ହେବା ଅସମ୍ଭବ। ମିଛଟାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଯାହାର ଦାୟିତ୍ୱରେ ଫାଇଲ ଥିଲା ତାଙ୍କ ନାମରେ ଏତଲା ଦିଆଗଲା ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କହିଥିଲେ, ଫାଇଲ ଚୋରି ହେବା ଏକ ନାଟକ। ଭିଡ଼ ହିଂସା, ହାଜତ ମୃତ୍ୟୁ, ଗଣବଳାତ୍କାର ଓ ହତ୍ୟା ଆଦି ସରକାରଙ୍କ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଏହା ନାଟକ। ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇଛି, ଏହାର ଅର୍ଥ ଆମ ସାଥୀରେ ରୁହନ୍ତୁ ଅବା ଗିରଫ ହୁଅନ୍ତୁ। ଏହା ସମ୍ପୂର୍ଣ୍ଣ ବ୍ଲାକମେଲ୍। ବିଜେପି ସରକାର ସମୟରେ ଯେତେ ତଦନ୍ତ କମିସନ ବସିଛି, ତାହାର ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି କଂଗ୍ରେସ ଦାବି କରିଛି।


