
ରାଇକିଆ: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ “ବିକାଶର ଧାରା, ଓଡ଼ିଶା ସାରା” ଅଭିଯାନର ଏକ ଅଂଶ ଭାବେ ରାଇକିଆ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଜାତି–ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବାଦ କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ କୁମାର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହର, ଭାଜପା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତରଣୀସେନ ପ୍ରଧାନ ଏବଂ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଉର୍ମିଳା ପ୍ରଧାନ ଉପସ୍ଥିତ ରହିଥିଲେ।ବକ୍ତାମାନେ ଜାତି ଓ ଜନଜାତି ସମୁଦାୟର ସାମଗ୍ରିକ ବିକାଶ, ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟ ସେବାର ସୁଦୃଢୀକରଣ, ଆଦିବାସୀ ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥି ଗଣ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ସରକାରଙ୍କ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମାଜର ସର୍ବାଙ୍ଗୀନ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ କ୍ଷେତ୍ରର ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ , ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ପରିବାରର ସଦସ୍ୟ, ସଫଳ ମହିଳା ଉଦ୍ୟୋଗୀ ଏବଂ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଖେଳାଳିମାନେ ସାମିଲ ଥିଲେ।ଅତିଥିମାନେ ସମ୍ମାନପତ୍ର, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବକ୍ତାମାନେ କହିଥିଲେ ଯେ, ସମାଜର ବିଭିନ୍ନ କ୍ଷେତ୍ରରେ ନିରନ୍ତର ସେବା ଓ ସଫଳତା ହାସଲ କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଦ୍ୱାରା ଯୁବପିଢ଼ି ପ୍ରେରଣା ପାଇବେ ଏବଂ ସମାଜରେ ସକାରାତ୍ମକ ବାର୍ତ୍ତା ପହଞ୍ଚିବ।କାର୍ଯ୍ୟକ୍ରମରେ ବ୍ଲକ ଗୃହ ନିର୍ମାଣ ସଂଯୋଜକ କମଲ ପ୍ରସାଦ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ ,ଏମ ଆଇ କିରଣ ବେହେରା,ବିଏସଏସଓ ରାମକୃଷ୍ଣ ବେହେରାଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି, ସାମାଜିକ କର୍ମୀ, ଜନଜାତି ସମ୍ପ୍ରଦାୟର ପ୍ରତିନିଧି ଓ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ.କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀମାନଙ୍କୁ ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଓ ଏଲ ଏମ ଜୟଦେବ ପ୍ରଧାନ ଏବଂ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଉର୍ମିଳା ପ୍ରଧାନ ପରିଚାଳନା କରିଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


