
ପୁରୀ: ରଥଯାତ୍ରା ପାଇଁ ଆଉ ମାତ୍ର ୬ ଦିନ ବାକି। ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ସବୁ ସତ୍ତ୍ୱେ ଆଜି ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଛି। ଆଜି ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଏକ ଡ୍ରୋନ୍ ଦୀର୍ଘ ସମୟ ଧରି ଘୁରି ଭିଡିଓ ରେକର୍ଡ କରିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଡ୍ରୋନ୍ ଉଡାଉଥିବା ଯୁବକକୁ ମାଟିମଣ୍ଡପ ସାହିରୁ କାବୁ କରାଯାଇ ସିଂହଦ୍ୱାର ଥାନାକୁ ଅଣାଯାଇଛି। ସମ୍ପୃକ୍ତ ଡ୍ରୋନ୍ ଟିକୁ ମଧ୍ୟ ପୁଲିସ ଜବତ କରିଛି।
ଯୁବକ ଜଣଙ୍କ ହେଉଛି କଲିକତାର ଜୟକୃଷ୍ଣ ମଣ୍ଡଳ l ତେବେ ସେ କେଉଁ ଉଦ୍ଦେଶ୍ୟରେ ଡ୍ରୋନ୍ ଉଡାଉଥିଲେ, ସେ ଏକା କରୁଥିଲେ ନା ତାଙ୍କ ପଛରେ ଆଉ କେହି ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସେବାୟତ ଏବଂ ସାଧାରଣ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ତାକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ କାହିଁକି କରାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏଭଳି ସମୟରେ ସୁରକ୍ଷାରେ କୌଣସି ତ୍ରୁଟି ବଡ ବିପଦ ଆଣିପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।




