
ଭୁବନେଶ୍ଵର : ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜିଠୁ କ୍ରାଇମବ୍ରାଞ୍ଚ ଖୋଳତାଡ଼। ତଦନ୍ତ କରୁଛି ୫ଜଣିଆ ଟିମ୍ । ସମଗ୍ର ଘଟଣାର ପର୍ଦ୍ଦାଫାଶ ପାଇଁ ଜଣେ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଓ ୩ ଜଣ ଅଫିସରଙ୍କୁ ନେଇ ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ହସ୍ତାନ୍ତର ହେବା ପରେ କ୍ରାଇମବ୍ରାଞ୍ଚ ଏହି ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରୁଛି। ୨୦୨୬-୨୭ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ହୋଇଥିବା ୩୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଏବଂ ଆଉଟ୍ ସୋର୍ସିଂ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଅର୍ଥର ଟିକିନିଖି ଯାଞ୍ଚ ହେବ। ଡିଟିପି ଓ ଡିଜାଇନିଂ ଟେଣ୍ଡର ପ୍ରକ୍ରିୟାର ଡକୁମେଣ୍ଟସ୍ ଯାଞ୍ଚ କରାଯିବ। ଗଣଶିକ୍ଷା ବଦଳରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସଂସ୍ଥାକୁ କାହିଁକି ଦାୟିତ୍ୱ ଦିଆଗଲା, ତାହା ତଦନ୍ତ ପରିସରକୁ ଆସିବ। ସମସ୍ତ ଆର୍ଥିକ କାରବାର କରିଥିବା ଓସେପା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା SCERT ଉପରେ ଫୋକସ୍ ରହିବ। ରାଜ୍ୟ ଷ୍ଟିୟରିଂ କମିଟି, କୋର କମିଟି, ସମ୍ପାଦନା ଓ ସମୀକ୍ଷକ ମଣ୍ଡଳୀ ଜେରାର ସମ୍ମୁଖୀନ ହେବେ। ଏନସିଇଆରଟି ବହିର ଛବି କିଭଳି ଓଡ଼ିଆ ପୁସ୍ତକରେ ରହିଗଲା, ତାହାର ବିଶେଷ ଅନୁଧ୍ୟାନ କରାଯିବ।
ସୂଚନା ଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୧ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ପାଠ୍ୟ ପୁସ୍ତକ ତ୍ରୁଟିଜନିତ ବିଷୟର କାରଣ ଅନୁସନ୍ଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ ଅନୁଯାୟୀ SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।




