
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ରାଜ୍ୟ କୃଷି ନୀତି ଅଧୀନରେ ସବସିଡି ବ୍ୟବସ୍ଥା ପ୍ରଚଳନ ହୋଇଛି । ନିରନ୍ତର ଚାହିଦା, କୃଷିର ବିବିଧୀକରଣ, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଓ ଉଚ୍ଚ ମୂଲ୍ୟଯୁକ୍ତ କୃଷିକୁ ପ୍ରୋତ୍ସାହନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାବିନେଟ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଯୋଜନାକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି । ୨୪୯୬.୪୦ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଛି । ଏହି ଯୋଜନା ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏହି ୫ ବର୍ଷ ଅବଧି ମଧ୍ୟରେ ପ୍ରାୟ ୮,୫୦୦ଟି ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୨୪୯୬.୪୦ କୋଟି ଟଙ୍କାର ଆନୁମାନିକ ବିନିଯୋଗ କରାଯିବ ।




