
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରସ୍ତୁତ “ଓଡ଼ିଶା ମତ୍ସ୍ୟ ସେବା (ନିଯୁକ୍ତି ଏବଂ ସେବା ସର୍ଭାବଳୀ) ନିୟମାବଳୀ, ୨୦୨୬” ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ବିଭାଗର କାର୍ଯ୍ୟପରିସରରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ଜନସାଧାରଣଙ୍କୁ ଅଧିକ ତ୍ଵରିତ ଓ ଦକ୍ଷତାର ସହିତ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପୂର୍ବରୁ ଓଡ଼ିଶା ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନକୁ ଅନୁମୋଦନ କରିଥିଲେ । ଏହା ଫଳରେ କ୍ୟାଡରର ଅନୁମୋଦିତ ପଦ ସଂଖ୍ୟା ୬୧୭ରୁ ବୃଦ୍ଧି ପାଇ ୮୩୫ରେ ପହଞ୍ଚିଛି । ପୁନର୍ଗଠିତ କ୍ୟାଡରକୁ ଔପଚାରିକ ଭାବେ କାର୍ଯ୍ୟକାରୀ କରିବା ଓ ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟା, ସେବା ସର୍ତ୍ତାବଳୀ, ପଦୋନ୍ନତି ଏବଂ ଅନ୍ୟାନ୍ୟ ସେବାଗତ ବିଷୟଗୁଡ଼ିକୁ କାର୍ୟକାରୀ କରିବା ପାଇଁ ଏକ ସମନ୍ବିତ ଓ ବିସ୍ତୃତ ନିୟମାଦଳୀ ପ୍ରଣୟନ ଆବଶ୍ୟକ ଥିଲା । ଓଡ଼ିଶା ଭିଜନ – ୨୦୩୬ ଅନୁଯାୟୀ ରାଜ୍ୟରେ ୩୩ ଲକ୍ଷ ମେଟ୍ରିକ ଟନ ମତ୍ସ୍ୟ ଉତ୍ପାଦନ ଓ ୨୫,୦୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନିର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମାଛ ଚାଷ କ୍ଷେତ୍ରରେ ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଜନ ଏବଂ ବଜାର ସଂଯୋଗର ବିକାଶ ମାଧ୍ୟମରେ ଏହି କ୍ଷେତ୍ରରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ସହ ରାଜ୍ୟର ଆର୍ଥିକ ବିକାଶକୁ ଅଧିକ ଗତିଶୀଳ କରାଯିବ ।




