
ଦେବଗଡ଼:ଦେବଗଡ ପୌରାଚଂଳର ପୁରୁଣାଗଡସ୍ଥିତଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା। ଦେବଗଡ ପୁରୁଣାଗଡର ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା,ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡେ ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।କିନ୍ତୁ ପୁରୁଣାଗଡରେ ଥିବା ଜଗନ୍ନାଥ ମନ୍ଦିରରରେ କେଉଁ କାଳରୁ ଗୋଟିଏ ଦିନ ବିଳମ୍ୱରେ ରଥଟଣା ହୋଇଥାଏ।ରଥଯାତ୍ରା ଦିନ କେବଳ ତିନି ଠାକୁରଙ୍କୁମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ। ସେ ଦିନ କେବଳ ସବୁ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି।ତା ପରଦିନ ଠାରୁ ୨ ଦିନ ଧରି ରଥ ଟଣା ହୋଇଥାଏ ଏବଂ ତାପରେ ତିନି ଠାକୁର ମାଉସୀମାଙ୍କ ମନ୍ଦିରକୁ ଯାଇଥାନ୍ତି। ଠିକ ସେହିପରି ଭାବେ ବାହୁଡା ଯାତ୍ରା ଦିନ କେବଳ ପହଣ୍ଡି କରି ତିନିଠାକୁରଙ୍କୁ ରଥକୁ ନିଆଯାଇଥାଏ ଏବଂ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ବାହୁଡା ଯାତ୍ରା ମଧ୍ୟ ୨ ଦିନ ଧରି ରଥଟଣା ହୋଇଥାଏ।ପରେ ତିନି ଠାକୁର ବଡଦେଉଳକୁ ଯାଇଥାନ୍ତି। ସୂଚନା ଅନୁଯାୟୀ,ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ପୂଜକମାନଙ୍କ କହିବା ଅନୁଯାୟୀ, ୧୭୦୩ରେ ବାମଣ୍ଡାର ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବ ମନ୍ଦିର ନିର୍ମାଣ କରିଥିଲେ।ଏହାସହିତ ଶ୍ରୀଜିଉଙ୍କ ପୂଜନ ଓ ଘୋଷ ଯାତ୍ରା ଆରମ୍ଭ କରିଥିଲେ।ଦେବଗଡ ଜିଲ୍ଲାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରର ରଥଟଣା ଦେଖିସାରି ପୁରୁଣାଗଡ ଜଗନ୍ନାଥ ମନ୍ଦିର ୨ଦିନ ରଥଟଣା ଦେଖିବାର ସୁଯୋଗ ପାଇପାରିବେ ବୋଲି ସେହିସମୟରେ ତତକାଳୀନ ରାଜାଙ୍କ କଳ୍ପନାଅନୁସାରେ ଆଜି ବି ସେହି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଅନ୍ୟପଟେ ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବ ସେହି ସମୟରେ ଗଜପତିଙ୍କ ଅନୁମତିକ୍ରମେ ପୁରୀରୁ ଓଲଟ ବର ବୃକ୍ଷ ଆଣିଥିଲେ।ସେହି ବୃକ୍ଷକୁ ଆଣି ପୂଜାର୍ଚ୍ଚନା କରି ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରୋପଣ କରିଥିଲେ।ରୋପଣ କରିବା ପରେ ବୃକ୍ଷର ପତ୍ର ଗୁଡିକ ଓଲଟା ହୋଇଥିବା ଦେଖିବାକୁ ମିଳିଥିଲା।ଉକ୍ତ ପବିତ୍ର ବୃକ୍ଷ ଏବେ ମଧ୍ୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଓଲଟ ବର ’ ବୃକ୍ଷ ନାମରେ ପରିଚିତ। ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଥିଲା।ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ଦେହାନ୍ତ ପରେ ରାଜା ସର୍ବେଶ୍ବର ଦେବ, ରାଜା ଅର୍ଜୁନ ଦେବ, ରାଜା ବାଲୁଙ୍କା ବୃଷଭ ଦେବ କ୍ରମାନ୍ବୟରେ ସମସ୍ତ ରାଜାମାନେ ରଥଯାତ୍ରା କରିଥିଲେ। ତତକାଳୀନ ରାଜା ବ୍ରଜସୁନ୍ଦର ଦେବ ଜଗନ୍ନାଥ ମନ୍ଦିରର ସଂଲଗ୍ନ ମୁଖଶାଳା, ଭୋଗମଣ୍ଡପ ନିର୍ମାଣ କରିଥିଲେ।ସାର ରାଜା ବାସୁଦେବ ସୁଢଳ ଦେବ ମନ୍ଦିର ପରିସରରେ ଝୁଲଣ ଗୃହ, କୁଞ୍ଜବନ ଓ ପୁଷ୍ପ ବାଟିକା ତିଆରି କରିଥିଲେ। ପୂର୍ବ ପ୍ରଚଳିତ ପ୍ରଥା ଓ ନିୟମକୁ ଦୃଷ୍ଟିରେ ରଖି ତତକାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ ୧୯୦୮ରେ ମନ୍ଦିରର ନିୟମାବଳୀ ପୁସ୍ତକ ପ୍ରକାଶ କରିଥିଲେ। ବର୍ତ୍ତମାନ ବି ମନ୍ଦିରର ପରିଚାଳନା ଦାୟିତ୍ବ ରାଜପରିବାର ହାତରେ ରହିଛି।




