
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଚଳିତ ବର୍ଷ ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହର ପରିବେଶ ମଧ୍ୟରେ ଉଲ୍ଲାସର ସହ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ରଥଟଣାରେ ସାମିଲ ହେବା ପାଇଁ ରାଇକିଆ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।
ସକାଳୁ ଅଖଣ୍ଡ ଦୀପ ପ୍ରଜ୍ୱଳନ ସହ ଶାସ୍ତ୍ରୋକ୍ତ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମଧ୍ୟାହ୍ନରେ ରଥ ସଂସ୍କାର ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ପରେ ଅପରାହ୍ନ ପ୍ରାୟ ୩ଟାରେ ପାରମ୍ପରିକ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଶଙ୍ଖ ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।
ତିନି ଠାକୁରଙ୍କ ନୀତିକାନ୍ତି ସମାପନ ପରେ ସେବକମାନଙ୍କ ଦ୍ୱାରା ପହଣ୍ଡି ବିଜେ ସମ୍ପନ୍ନ ହୋଇଥିଲା। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପାରମ୍ପରିକ ଛେରା ପହଁରା ନୀତି ସମ୍ପାଦନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଆରମ୍ଭ ହୋଇଥିବା ରଥଟଣା ସାଢ଼େ ୭ଟା ସୁଦ୍ଧା ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା। ରଥଟଣା ସମୟରେ ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ରାଇକିଆ ସହର ପ୍ରକମ୍ପିତ ହୋଇଉଠିଥିଲା।
ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବାରେ ଜଗନ୍ନାଥ ପୂଜା କମିଟିର ସେବକ ସଭାପତି ସତ୍ୟବାନ ପାତ୍ର, ଉପସଭାପତି ବିକ୍ରମାଦିତ୍ୟ ପାଳ, ସାଧାରଣ ସମ୍ପାଦକ ବାଇନାଥ ଦାସ, ଯୁଗ୍ମ ସମ୍ପାଦକ ମିଟୁ ସ୍ୱାଇଁ, ସହ ସମ୍ପାଦକ ସୀମାଞ୍ଚଳ ପ୍ରଧାନ ଏବଂ କୋଷାଧ୍ୟକ୍ଷ ବିଜୟ ପଣ୍ଡା, ଦେବଦତ୍ତ ମହାରଣା, ସନ୍ତୋଷ ପାଢ଼ୀ, କେ. ଶ୍ରୀନିବାସ ଆଚାରୀ ଉପଦେଷ୍ଟା ବୈକୁଣ୍ଠ ପଣ୍ଡା, ପଦ୍ମ ଚରଣ ପଣ୍ଡା ଓ ଦୁର୍ଯ୍ୟୋଧନ ଲେଙ୍କା,ସନ୍ତୋଷ କୁମାର ଲେଙ୍କା, ସନ୍ତୋଷ କୁମାର ପଣ୍ଡା,ବ୍ରଜ କିଶୋର ପାଣିଗ୍ରାହୀ, ବିଭୂଦତ୍ତ ବେହେରା,ସରୋଜ କୁମାର ବେହେରା, ଦେବ କୃଷ୍ଣ ପାଢ଼ୀ, ସନ୍ତୋଷ କୁମାର ନାୟକ, ଅରୁଣ କୁମାର ପଣ୍ଡା ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ରାଇକିଆ ଥାନା ଅଧିକାରୀ ଏ ସ୍ଵର୍ଣ୍ଣଲତା ପାତ୍ର ଙ୍କ ନେତୃତ୍ୱ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିବାରୁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ବେଶ୍ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




