
ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର କିମ୍ବା ସପ୍ତାହକ ଭିତରେ ନୂଆ ଟିମ୍ ଘୋଷଣା ହୋଇପାରେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଙ୍ଗଠନରେ ଏଥର ନେକ୍ସଟ ଜେନେରେସନ ଲିଡରଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଫୋକସରେ ଯୁବକ ଓ ମହିଳା ଅଛନ୍ତି । ୪୬ ବର୍ଷ ବୟସ୍କ ନୀତିନ ନବୀନଙ୍କୁ ବିଜେପି ଏହାର ମଙ୍ଗ ଧରାଇବା ପରେ ସେ ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ଯୁବବର୍ଗଙ୍କୁ ନେଇ ସେ ତାଙ୍କର ନୂଆ ଟିମ୍ ଗଠନ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ନୀତିନ ନବୀନ ଦଳର ମଙ୍ଗ ଧରିବା ପରେ ସାଙ୍ଗଠନିକ ପରିବର୍ତ୍ତନ ହେବ ବୋଲି ଆପାତତଃ ସ୍ଥିର କରାଯାଇଥିଲା ।
ନିକଟରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଦିଲ୍ଲୀରେ ଜେନ୍-ଜି ଛାତ୍ର ଆନ୍ଦୋଳନ ଦେଖାଦେବା ପରେ ବିଜେପିର ରଣନୀତି ବଦଳିଛି । ବିଶେଷକରି ସଙ୍ଗଠନରେ ଅଧିକ ଯୁବବର୍ଗଙ୍କୁ ସାମିଲ କରିବାକୁ ବିଚାର କରାଯାଉଛି । ଚର୍ଚ୍ଚା ହେଉଛି କେତେଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସଙ୍ଗଠନକୁ ଫେରାଇ ଅଣାଯିବ । ଏପରିକି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କିଛି ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିପାରେ । ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ଅଦଳବଦଳ ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ବିଜେପିର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ୪ ଜଣିଆ ମାର୍ଗଦର୍ଶକ ମଣ୍ଡଳ ନେତୃତ୍ୱରେ ପରିଚାଳିତ ହେଉଛି । ସେହି ମଣ୍ଡଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମିଲ ଅଛନ୍ତି । ଏଥିସହ ବିଜେପିର ପରବର୍ତ୍ତୀ ସଙ୍ଗଠନ ହେଲା ୧୨ ଜଣିଆ ସଂସଦୀୟ ବୋର୍ଡ । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନୀତିନ ନବୀନ, ରାଜନାଥ ସିଂହ, ଅମିତ ଶାହ, ଜେ.ପି ନଡ୍ଡା, ବି.ଏସ୍ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ. ଲକ୍ଷ୍ମଣନ, ଇକ୍ବାଲ ଲାଲପୁର, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷ । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ରହିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । ସେଥିରେ ସମସ୍ତ ସଂସଦୀୟ ବୋର୍ଡ ସଦସ୍ୟଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ବିଜେପି ମହିଳା ମୋର୍ଚ୍ଚା ସଭାପତି ବାନତୀ ଶ୍ରୀନିବାସନ ସାମିଲ ଅଛନ୍ତି । ଏଥିସହ ବିଜେପିର ୧୧ ଜଣ ଉପସଭାପତି ରହିଛନ୍ତି । ସେମାନଙ୍କ ମଧ୍ୟରେ ସାଂସଦ ବୈଜୟନ୍ତ ପଣ୍ଡା ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାମିଲ । ସେହିଭଳି ବିଜେପିର ୭ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅରୁଣ ସିଂହ, ଦୁଶ୍ୟନ୍ତ ଗୌତମ, ବିନୋଦ ତାୱଡେ, ତରୁଣ ଚୁଗ୍, ସୁନୀଲ ବନ୍ସଲ, ରାଧା ମୋହନ ଦାସ ଅଗ୍ରୱାଲ ଏବଂ ବି.ଏଲ୍ ସନ୍ତୋଷ । ତେବେ ସୁନୀଲ ବନସଲ ଓ ବି.ଏଲ୍ ସନ୍ତୋଷଙ୍କ ବ୍ୟତୀତ ଅନ୍ୟ ସମସ୍ତ ସାଧାରଣ ସମ୍ପାଦକ ସାଂସଦ ଅଛନ୍ତି । ତରୁଣ ଚୁଗ୍ ଓ ବିନୋଦ ତାୱଡେ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।




