
କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ ୬ ଘଣ୍ଟା ଧରି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୋରଦାର ନାରାବାଜି କରିଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଭାପତି ପ୍ରାର୍ଥୀ ଶୁଭଶ୍ରୀ ମହାକୁଡ଼ ଏବଂ ତାଙ୍କ ପ୍ୟାନେଲରେ ଥିବା ଅନ୍ୟ ଛାତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ମାତ୍ର କଲେଜ ଅଧ୍ୟକ୍ଷା ନାମାଙ୍କନ ଦାଖଲର ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଯାଇଥିବା କହି ସେମାନଙ୍କ ଆବେଦନ ଗ୍ରହଣ ନକରି ଫେରାଇ ଦେଇଥିଲେ ।ଏହାକୁ ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ଘଟଣା ସମ୍ପର୍କରେ କ୍ଷୋଭ ପ୍ରକାଶ କରି ସଭାପତି ପ୍ରାର୍ଥୀ ଶୁଭଶ୍ରୀ ମହାକୁଡ଼ କହିଛନ୍ତି, “ଆମେ ନିର୍ଦ୍ଧାରିତ ସମୟପୂର୍ବରୁ ସମସ୍ତ ଆବଶ୍ୟକୀୟ ନଥିପତ୍ର ସହ ନାମାଙ୍କନ ଦାଖଲ ପାଇଁ ପହଞ୍ଚିଥିଲୁ । ମାତ୍ର କଲେଜ ଅଧ୍ୟକ୍ଷା ଚଞ୍ଚକତା କରି ସମୟ ଗଡ଼ିଯାଇଥିବା ଆଳ ଦେଖାଇ ଆମ ଆବେଦନପତ୍ର ଗ୍ରହଣ କଲେ ନାହିଁ । ଏହା ଆମ ପ୍ରତି ଏକ ପକ୍ଷପାତମୂଳକ ଆଚରଣ । ଯେପର୍ଯ୍ୟନ୍ତ ଆମ ନାମାଙ୍କନ ଗ୍ରହଣ କରାନଯାଇଛି ଏବଂ ଆମକୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ଆମର ଏହି ଗଣତାନ୍ତ୍ରିକ ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିବ ।”
ସେପଟେ ଖବର ପାଇ ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମାତ୍ର ଛାତ୍ରୀମାନେ ନିଜ ଦାବିରେ ଅଡ଼ବସିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । କଲେଜ ପରିସରରେ ସାଧାରଣ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଥିବା ବେଳେ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା ପହଞ୍ଚି ଛାତ୍ରୀମାନଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ ।
ଏହା ପରେ ତୁଳସୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷା ଡଃ ବାସନ୍ତୀ ଶୁକ୍ଳା ନିର୍ବାଚନକୁ ବାତିଲ କରିଛନ୍ତି । ତେବେ ନିର୍ବାଚନ ବାତିଲ ହେବା ପରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇ ବିଜେପି ଗଣତନ୍ତ୍ର ହତ୍ୟାକାରୀ ଦଳ ଓ ନିର୍ବାଚନ କରାଇଲେ ସେମାନଙ୍କ ଅସଲ ରୂପ ଜଣାପଡ଼ିବ ବୋଲି କହିଛନ୍ତି ।








