
ଉତ୍ତର ପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରାଣସୀରେ ସପାକୁ ମିଳିଛି ଦମଦାର ବିଜୟ। ବାରାଣସୀ ଶିକ୍ଷକଙ୍କ ଏମଏଲସି ସିଟ୍ ଓ ବାରାଣସୀ ଗ୍ରାଜ୍ୟୁଏଟ୍ସ ଆସନରେ ସପା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି।
କେବଳ ବାରାଣସୀ ନୁହେଁ, ଆଗ୍ରା ଟିଚର୍ସ ନିର୍ବାଚନୀ ମଣ୍ଡଳରେ ମଧ୍ୟ ସପା ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। ସପା ବାରାଣସୀରେ ଅଦ୍ଭୂତପୂର୍ବ ସଫଳତା ପାଇଥିଲେ ହେଁ ବିଜେପି ମୋଟ ଉପରେ ୫ଟି ବିଧାନ ପରିଷଦ ଆସନରେ ଜିତିଛି ଓ ରିପୋର୍ଟ ଲେଖା ହେବା ବେଳକୁ ଆଉ ଗୋଟିଏ ଆସନରେ ଲିଡ୍ କରୁଛି। ତେଣୁ ବିଜେପି ଖାତାକୁ ୬ଟି ବିଧାନ ପରିଷଦ ଆସନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଜେପି ପ୍ରାର୍ଥୀମାନେ ଲକ୍ଷ୍ନୌ ଟିଚର୍ସ, ମୀରଟ-ସାହାରନପୁର ଟିଚର୍ସ, ବରେଲୀ-ମୋରଦାବାଦ ଟିଚର୍ସ ଓ ମୀରଟ-ସାହାରନପୁର ଗ୍ରାଜ୍ୟୁଏଟ୍ସ ସିଟ୍ ସମେତ ଆଉ ଗୋଟିଏ ଆସନରେ ଜିତିଛନ୍ତି।
ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହାକୁ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ ଲଢ଼େଇ ବୋଲି କୁହାଯାଉଥିଲା। ଏବେ ବିଜେପି ଓ ସପା ମଧ୍ୟରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିଛି। ତଥାପି ବିଜେପିର ପଲ୍ଲା ସାମାନ୍ୟ ଭାରୀ ରହିଛି।
ଏବେ ମନରେ ପ୍ରଶ୍ନ ଉଠିପାରେ ଗ୍ରାଜ୍ୟୁଏଟ୍ସ ଓ ଟିଚର୍ସ ନିର୍ବାଚନ ମଣ୍ଡଳୀ କ’ଣ? ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସଦସ୍ୟ ଦୁଇଟି ଯାକ ଗୃହ ଅର୍ଥାତ ବିଧାନସଭା ଓ ବିଧାନ ପରିଷଦରେ ରୁହନ୍ତି। ସମ୍ବିଧାନ ପ୍ରଣୟନ ବେଳେ ଗୋଟିଏ ଭାବନା ସୃଷ୍ଟି କରାଯାଇଥିଲା ଯେ ବିଧାନ ପରିଷଦକୁ ଯାଉଥିବା ଲୋକମାନେ କେବଳ ଶିକ୍ଷିତ ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ଦରକାର।
ଏହାଦ୍ୱାରା ଶିକ୍ଷିତ ସଦସ୍ୟମାନେ ଜାତି, ଧର୍ମ, ଟଙ୍କା ଓ ବାହୁ ବଳକୁ ହ୍ରାସ କରିପାରିବେ। ତେଣୁ ବିଧାନ ପରିଷଦ ନିର୍ବାଚନରେ ପଞ୍ଜିକୃତ ଗ୍ରାଜ୍ୟୁଏଟ୍ସ ଓ ଶିକ୍ଷକମାନେ ହିଁ ଭୋଟିଂ କରନ୍ତି। ଏହି ନିର୍ବାଚନରେ କୌଣସି ସାଧାରଣ ଲୋକ ଭୋଟିଂ କରନ୍ତି ନାହିଁ।
ବାରାଣସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ଥିବା ଦୁଇଟି ଯାକ ବିଧାନ ପରିଷଦ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ବାରାଣସୀ ଟିଚର୍ସ ସିଟ୍ରେ ସପାର ଲାଲ ବିହାରୀ ଯାଦବ ବିଜେପିର ପ୍ରମୋଦ କୁମାର ମିଶ୍ରାଙ୍କୁ ୪,୮୯୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ୨୦୨୦ରେ ମିଶ୍ରା ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଯାଦବଙ୍କ ଠାରୁ ୯୩୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।
ବାରାଣସୀ ଗ୍ରାଜ୍ୟୁଏଟ ଆସନରେ ସପାର ଆଶୁତୋଷ ସିହ୍ନା ବିଜେପିର କେଦାର ନାଥ ସିଂହଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି।



