
ଭୁବନେଶ୍ୱର: କୋଟିଆ ସମସ୍ୟାର ସମାଧାନ ନହେବା ପାଇଁ ଭକ୍ତ ଦାସ ପୂର୍ବତନ ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାରକୁ ଦାୟୀ କରିଛନ୍ତି । ଦୀର୍ଘ ୨୪ ବର୍ଷର ବିଜେଡି ଶାସନ କାଳରେ ଏହି ସମସ୍ୟାର ସମାଧାନ ହୋଇପାରିନଥିବା ସେ କହିଛନ୍ତି । ଏବେ ମଧ୍ୟ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ ବୋଲି ତାଙ୍କ ଅଭିଯୋଗ। କୋଟିଆରେ ରାସ୍ତା ନିର୍ମାଣ ସହ ପୂର୍ବ ସରକାର ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ଖରାପ ହୋଇଗଲାଣି ଏବଂ ଏହାର ପ୍ରଭାବ ଲୋକଙ୍କ ଜୀବନଯାପନରେ ପଡ଼ୁଛି ବୋଲି ସେ କହିଛନ୍ତି ।
କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ସହ ସେଠାକାର ୨୮ଟି ଗାଁର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍ ଓ ତୁରନ୍ତ ପ୍ୟାକେଜ୍ ଘୋଷଣା କରିବାକୁ ଦାବି କଲେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ । କୋଟିଆରେ ପାନୀୟ ଜଳ, ବ୍ୟାଙ୍କିଂ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାର ଅଭାବ ରହିଥିବାବେଳେ ଓଡ଼ିଶା ସରକାର ଏହି ଅଞ୍ଚଳର ବିକାଶ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିଛନ୍ତି।
ଭକ୍ତ ଦାସଙ୍କ କହିବା ଅନୁଯାୟୀ, ସପ୍ତଗିରି ସଂସଦରେ ପାଞ୍ଚ ଥର କୋଟିଆ ପ୍ରସଙ୍ଗ ଉଠାଇଛନ୍ତି । କଂଗ୍ରେସର ଏକ ଟିମ୍ କୋଟିଆ ପଞ୍ଚାୟତ ମୁଖ୍ୟାଳୟ ସମେତ ପାଞ୍ଚଟି ପଞ୍ଚାୟତ ଅଞ୍ଚଳ ପରିଦର୍ଶନ କରିଥିଲା । ସେଠାରେ ଏବେ ବି ପାନୀୟ ଜଳ ସମସ୍ୟା ରହିଛି । ବ୍ୟାଙ୍କିଂ ସୁବିଧା ନଥିବାରୁ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଉଠାଇବା ପାଇଁ ପ୍ରାୟ ୨୨ କିଲୋମିଟର ଯିବାକୁ ପଡ଼ୁଛି । VB G RAM G କାମ ମଧ୍ୟ ଠିକ୍ ଭାବେ ହୋଇପାରୁନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ଅଞ୍ଚଳ ଅବହେଳାର ଶିକାର ହୋଇଛି। ୨୮ଟି ଗ୍ରାମରେ ଅସୁବିଧା ଥିବା କଥା ଉଠୁଛି। କୋଟିଆରେ ଆନ୍ଧ୍ର ଚେକ ପୋଷ୍ଟ କରିଛି। ଆମର ନଥିଲା ଚାରି ଦିନ ହେବ ଖୋଲିଛି ବୋଲି କହିଲେ ପିସିସି ସଭାପତି ।
କୋଟିଆର କେତେକ ଗ୍ରାମର ବାସିନ୍ଦାଙ୍କ ପାଖରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଭୋଟର ପରିଚୟପତ୍ର, ରାସନ କାର୍ଡ ଓ ଆଧାର କାର୍ଡ ରହିଥିବା ନେଇ ଭକ୍ତ ଦାସ ଉଦ୍ବେଗ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟର ଯୋଜନାରୁ ଲୋକେ ସୁବିଧା ପାଉଥିବା ସେ କହିଛନ୍ତି । ମାଲକାନଗିରି ଓ ରାୟଗଡ଼ାର କେତେକ ଗ୍ରାମରେ ମଧ୍ୟ ଏଭଳି ସ୍ଥିତି ଥିବା ସେ ଦାବି କରିଛନ୍ତି ।
ତାଙ୍କ ଅଭିଯୋଗ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ୨୦୦୬ରୁ କୋଟିଆ ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ଓଡ଼ିଶା ସରକାର କେବଳ ଆଲୋଚନାରେ ସୀମିତ ରହିଛନ୍ତି । ୧୯୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହେବାର ବହୁ ପୂର୍ବରୁ କୋଟିଆ ଓଡ଼ିଶାର ଅଂଶ ଥିଲା ବୋଲି ସେ ମତ ଦେଇଛନ୍ତି ।





