
ଦେବଗଡ:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନଚାଷ ଓ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାଦ୍ୱାରା ଚାଷୀମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।ଚାଷୀ ଭାଇଭଉଣୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଧାନଚାଷ ଓ ପନିପରିବା ଚାଷର ସଠିକ୍ ଆକଳନ କରିବା ସହିତ ପ୍ରଭାବିତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଦାବି କରିଛନ୍ତି। ଏହାସହିତ ଜିଲ୍ଲାର ଅନେକ ସ୍ଥାନରେ ଅମଳ ହେବାକୁ ଥିବା ଧାନ ପାଣି ଭିତରେ ପଡି ଉଜୁଡି ଯାଇଛି। ଏନେଇ ଆଜି ବିଧାୟକ ଶ୍ରୀ ବିଶ୍ବାଳ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଚାଷୀମାନଙ୍କର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।




