
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।
ବଲାଙ୍ଗିର ଜିଲ୍ଲାରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଟିଟିଲାଗଡ ବ୍ଲକର ପଥରଲା ନିକଟରେ ଇନ୍ଦ୍ର ବା ସୁନ୍ଦର ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏଥିପାଇଁ ୯୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ୩୦ ମାସ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହା ଦ୍ୱାରା ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ବ୍ଲକର ୧୨ଟି ଗାଁକୁ ବର୍ଷସାରା ଜଳ ଯୋଗାଣ ସୁନିଶ୍ଚିତ ହେବ । ଏହା ସହ ମତ୍ସ୍ୟଚାଷ, ପଶୁପାଳନ ଓ ଭୂତଳ ଜଳସ୍ତର ବୃଦ୍ଧିରେ ସହାୟତା ମିଳିବ ।




