
ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରିପରିଷଦ ବୈଠକ । ଆସନ୍ତା ୧୮ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ ପ୍ରସ୍ତାବ ଉପସ୍ଥାପନ ହେବ ।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମ ଅର୍ଥାତ୍ ଯୋଜନା ବ୍ୟୟ ବରାଦ ଭାଗ ୫୮ ପ୍ରତିଶତ ( ୧ ଲକ୍ଷ ୮୦ ହଜାର କୋଟି) ଥିଲା । ବଜେଟରେ ୧୨% ଅଭିବୃଦ୍ଧି ଲକ୍ଷ୍ୟ ରଖିଥିଲେ ମୋହନ ସରକାର । କୃଷି, ଭିତ୍ତିଭୂମି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସର୍ବାଧିକ ଫୋକସ୍ ଦିଆଯାଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନ ଆଗକୁ ଥିବାରୁ ଚିଠା ଅତିରିକ୍ତ ବଜେଟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।





