
ଭୁବନେଶ୍ୱର : ବନ୍ୟା ରାଜନୀତି ନେଇ ଉଛୁଳିବ ଶୀତ ଅଧିବେଶନ । ଗଞ୍ଜାମର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ଦଳ । ଉଭୟ ବିଜେଡି ଓ କଂଗ୍ରେସ ଆଗାମୀ ଅଧିବେଶନ ଆରମ୍ଭରୁ ହିଁ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏପରିକି ବିଧାନସଭା ବାହାରେ ବି ବଡ଼ ବିକ୍ଷୋଭ କରିବା ଯୋଜନାରେ ଅଛନ୍ତି ବିରୋଧୀ ଦଳ । ୧୮ରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ତେବେ ପ୍ରଥମ ଦିନରୁ ହିଁ ବିଧାନସଭା କମ୍ପାଇବାକୁ ବିରୋଧୀ ଦଳ ଶକ୍ତ ପ୍ରସଙ୍ଗ ଧରି ଅପେକ୍ଷା କରି ରହିଛନ୍ତି ।
ଗତ ମୌସୁମୀ ଅଧିବେଶନ ଏମଏମଡିଆର ଆଇନ ସଂଶୋଧନ ଓ ପାଠ୍ୟପୁସ୍ତକ ତ୍ରୁଟି ଝଡ଼ରେ ଉଡ଼ିଯାଇଥିଲା । ଗୋଟିଏ ବି ଦିନ ପୂର୍ଣ୍ଣାଙ୍ଗ ଆଲୋଚନା ହୋଇପାରିନଥିଲା । ତେବେ ଶୀତ ଅଧିବେଶନରେ ବିରୋଧୀ ଦଳ ବନ୍ୟା ଓ କୋଟିଆ ଭଳି ତାଜା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବା ସମ୍ଭାବନା ରହିଛି । ଶାସକ ଦଳ ମଧ୍ୟ ଏସବୁ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଦୋଷ ତ୍ରୁଟିକୁ ନେଇ ପାଲଟା ଆକ୍ରମଣ କରିବା ମୁଡ୍ରେ ଅଛନ୍ତି । ଅର୍ଥାତ୍ ଉଭୟ ପଟୁ ଆରୋପ-ପ୍ରତ୍ୟାରୋପ ରାଜନୀତି ସରଗରମ ରହିପାରେ । ବିଧାନସଭା ପାଇଁ ଆସନ୍ତା ୧୭ରେ ହିଁ ସବୁ ଦଳ ନିଜର ରଣନୀତି ବିଧିବଦ୍ଧ ଭାବେ ପ୍ରସ୍ତୁତ କରିବେ । ୧୭ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି । ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ, ସେ ନେଇ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ ।
ସେହିପରି ରାଜ୍ୟର ପ୍ରମୁଖ ପ୍ରସଙ୍ଗ ନେଇ ଦୃଢ଼ ସ୍ୱର ଉଠାଇବା ପାଇଁ ବିଜେଡି ବିଧାୟକମାନଙ୍କୁ ପରାମର୍ଶ ଦେବେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରମୁଖ ପ୍ରସଙ୍ଗକୁ ଗୃହରେ ବିରୋଧୀ ଦଳ ଉପସ୍ଥାପନ କରିବ । କଂଗ୍ରେସ ବିଧାୟକ ଦଳ ମଧ୍ୟ ୧୭ରେ ବସିବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି ।
ଶ୍ରୀ କାଡାମ କହିଛନ୍ତି, ଗଞ୍ଜାମ ବନ୍ୟା, କୋଟିଆ, ଏମଏମଡିଆର କଳା ଆଇନ, ଦରଦାମ, ଆଇନଶୃଙ୍ଖଳା ଭଳି ପ୍ରମୁଖ ପ୍ରସଙ୍ଗକୁ ଜୋରଦାର ଭାବେ ଗୃହରେ ଦଳ ଉଠାଇବ । ବିଜେପି ବିଧାୟକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି, ଆମ ସରକାର ଲୋକଙ୍କ ସରକାର । ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । ବିଜେପି ବିଧାୟକ ଦଳ ବୈଠକରେ ଦଳ ପକ୍ଷରୁ ଏହି ଅଧିବେଶନ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହେବ । ୧୮ରୁ ଆରମ୍ଭ ହେବାକୁ ଥିବା ଅଧିବେଶନର କାର୍ଯ୍ୟସୂଚୀ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି । ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ୩୦ ନଭେମ୍ବରରେ ଅତିରିକ୍ତ ବଜେଟ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ ।






