
ଭୁବନେଶ୍ୱର: ସାମ୍ବାଦିକତା କେବଳ ଘଟଣାବଳୀର ବିବରଣୀ ପ୍ରଦାନରେ ସୀମିତ ନରହି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବା ଆବଶ୍ୟକ। ଏଥିପାଇଁ ନିରପେକ୍ଷ, ନିର୍ଭୀକ, ତଥ୍ୟଭିତ୍ତିକ ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଅପରିହାର୍ଯ୍ୟ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ମତବ୍ୟକ୍ତ କରିଛନ୍ତି।ସୋମବାର ଦିନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ନ୍ୟାସନାଲ୍ ଜର୍ଣ୍ଣାଲିଷ୍ଟ ୱେଲଫେୟାର ବୋର୍ଡ (NJWB) ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହ-୨୦୨୬ରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ମୁକ୍ତ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରିଥାଏ।
ଏହି ଅବସରରେ ସାମ୍ବାଦିକ, ସମ୍ପାଦକ ଓ ଗଣମାଧ୍ୟମ ଜଗତ ସହ ଜଡ଼ିତ ସମସ୍ତଙ୍କୁ ଜାତୀୟ ପ୍ରେସ୍ ଦିବସର ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ନୀତି, ଯୋଜନା ଓ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟା, ଆଶା-ଆକାଂକ୍ଷା ଓ ପରାମର୍ଶକୁ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସଠିକ୍ ଜନମତ ସୃଷ୍ଟି ହୋଇଥାଏ।
ଅଭିବ୍ୟକ୍ତିର ସ୍ୱାଧୀନତା ସହ ସାମ୍ବାଦିକତାରେ ସାଧୁତା, ନୈତିକତା ଓ ସାମାଜିକ ଦାୟିତ୍ୱବୋଧର ସମନ୍ୱୟ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ସମୟୋପଯୋଗୀ ଖବର ପରିବେଷଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ତଥ୍ୟର ସଠିକତା ଓ ବିଶ୍ୱସନୀୟତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ୍ ମିଡିଆ ଓ କୃତ୍ରିମ ବୁଦ୍ଧିମତ୍ତା (AI) ସୂଚନା ଜଗତରେ ପରିବର୍ତ୍ତନ ଆଣୁଥିବା ପରିପ୍ରେକ୍ଷୀରେ ସାମ୍ବାଦିକମାନେ ତଥ୍ୟ ଯାଞ୍ଚ ଓ ସନ୍ତୁଳିତ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟ ସେବନ, ଖାଦ୍ୟରେ ଅପମିଶ୍ରଣ, ମହିଳାଙ୍କ ବିରୋଧରେ ଅପରାଧ, ଶିଶୁ ଶ୍ରମ, ସାଇବର ଅପରାଧ ଏବଂ ପରିବେଶ ପ୍ରଦୂଷଣ ଭଳି ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ଅଧିକ ଜନସଚେତନତା ସୃଷ୍ଟି କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିୟମିତ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଦ୍ୱାରା ପରିବାର, ଶିକ୍ଷାନୁଷ୍ଠାନ ଓ ପ୍ରଶାସନ ଅଧିକ ସଚେତନ ହୋଇପାରିବେ ଏବଂ ଏକ ସୁରକ୍ଷିତ ଓ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ।
ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଆବଶ୍ୟକ। ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ଏହି ଯୋଜନାଗୁଡ଼ିକର ସୂଚନା ପହଞ୍ଚାଇବା ସହ ସେମାନଙ୍କ ସମସ୍ୟା ଓ ଅଭାବ ଅସୁବିଧାକୁ ମଧ୍ୟ ଗଣମାଧ୍ୟମ ସମ୍ବେଦନଶୀଳତାର ସହ ଉପସ୍ଥାପନ କରିବା ଉଚିତ ବୋଲି ସେ କହିଥିଲେ।
ଓଡ଼ିଶାର ଆଞ୍ଚଳିକ ଗଣମାଧ୍ୟମ ଜନଜାତିଙ୍କ ପରମ୍ପରା, ସାଂସ୍କୃତିକ ଐତିହ୍ୟ, ଗ୍ରାମୀଣ ଜୀବନଶୈଳୀ ଓ ବିପର୍ଯ୍ୟୟଜନିତ ଆହ୍ୱାନଗୁଡ଼ିକୁ ଗୁରୁତ୍ୱର ସହ ଲୋକଲୋଚନକୁ ଆଣୁଥିବାରୁ ରାଜ୍ୟପାଳ ଏହାର ପ୍ରଶଂସା କରିଥିଲେ। ସାମ୍ବାଦିକମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ସୁନିଶ୍ଚିତ କରିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତପ୍ରକାଶ କରିଥିଲେ।
ନିରପେକ୍ଷ ସାମ୍ବାଦିକତା ଓ ଜନସେବା ମାଧ୍ୟମରେ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନ ସାକାର କରିବାରେ ଗଣମାଧ୍ୟମ ଉଲ୍ଲେଖନୀୟ ଅବଦାନ ରଖିପାରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ।
ଏହି ସମାରୋହରେ ନ୍ୟାସନାଲ୍ ଜର୍ଣ୍ଣାଲିଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୀପକ ମାଲଭିୟା ଅଧ୍ୟକ୍ଷତା କରିଥିବାବେଳେ ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ଶ୍ରୀ ସନତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।






