
ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ବିଷୟରେ ଦିଗ୍ଦର୍ଶନ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶା ବିଧାନସଭା କେବଳ ଆଇନ ପ୍ରଣୟନର ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତୀକ। ତେଣୁ ଗୃହର ମର୍ଯ୍ୟାଦାକୁ ରକ୍ଷାକରି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀ ମାଝୀ ସମସ୍ତ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ।
ରାଜ୍ୟ ସରକାର ତଥା ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉପରାଷ୍ଟ୍ରପତିଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ଗୌରବର ବିଷୟ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ୨୦୨୫ ନଭେମ୍ବର ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ସମସ୍ତ ବିଧାୟକଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ଆଜି ମାନ୍ୟବର ଉପରାଷ୍ଟ୍ରପତିଙ୍କ ଜନସେବାର ଲମ୍ବା ଅଭିଜ୍ଞତା, ସଂସଦୀୟ ଲୋକତନ୍ତ୍ର ପ୍ରତି ନିଷ୍ଠା ଓ ସାମ୍ବିଧାନିକ ପ୍ରକ୍ରିୟାର ଅନୁଭୂତି ସମସ୍ତଙ୍କୁ ମାର୍ଗଦର୍ଶନ ଦେବା ସହ ପ୍ରେରଣା ଯୋଗାଇବ। ଏଥିସହ ବିଧାୟକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୨୦୨୪ ଅଗଷ୍ଟ ମାସରେ ‘ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ’ ଏବଂ ଆଜିର ଏହି ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆସନ୍ତା ଶୀତକାଳୀନ ଅଧିବେଶନ ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାରେ ସହାୟକ ହେବ । ଜଣେ ବିଧାୟକଙ୍କ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ‘ବିଧେୟକ’ ବା ଆଇନ ପ୍ରସ୍ତୁତ କରିବା। ଏହା ବ୍ୟତୀତ ଦଳମତ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରୁଥିବା ବିଧାନସଭାର ସ୍ଥାୟୀ କମିଟି ଗୁଡ଼ିକରେ ବିଧାୟକମାନେ ସକ୍ରିୟ ଅଂଶଗ୍ରହଣ କରି ସରକାରଙ୍କୁ ନିଜ ମତାମତ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ ଯେ ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସଂସଦୀୟ ନିୟମ, ବିଧାନ ପ୍ରକ୍ରିୟା ଓ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଦକ୍ଷ ଓ ସଚେତନ କରିବା। ଏକ ସୁସ୍ଥ ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ଦଳ ଉଭୟଙ୍କର ଗଠନମୂଳକ ଭୂମିକା ଅପରିହାର୍ଯ୍ୟ ହୋଇଥିବା ବେଳେ ଜଣେ ବିଧାୟକ କେବଳ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି ନୁହନ୍ତି, ବରଂ ସେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ବାହକ ଏବଂ ରାଜ୍ୟର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି। ଏହା ସହିତ ବିଧାନସଭାର ଅଭିଜ୍ଞତା ସହିତ ପ୍ରଶାସନିକ ଦାୟିତ୍ୱର ସମନ୍ୱୟ ଜଣେ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଏବଂ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।






