
ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଲମ୍ବା ଥିବାବେଳେ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି । ତେବେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଅନୁରୂପ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାକୁ ଦେଖିଲେ ଶୀତ ଅଧିବେଶନ ବେଶ୍ ଉଷ୍ମ ହେବାକୁ ଯାଉଛି । ତେଣେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସୁରୁଖୁରୁରେ ଅଧିବେଶନକୁ ପରିଚାଳନା ପାଇଁ ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ବିଧାନସଭାରେ ମୁକାବିଲା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।
ମଙ୍ଗଳବାର ବିଧାନସଭା ପରିସରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟ ଦିବସଗୁଡ଼ିକୁ କିଭଳି ବିନା ବାଧାରେ ପରିଚାଳନା କରାଯିବ, ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ କିଭଳି ଅର୍ଥପୂର୍ଣ୍ଣ ଆଲୋଚନା ହେବ ଏବଂ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଗୃହର ଗରିମା ବଜାୟ ରଖାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ତେବେ ବିଧାନସଭାର ଏହି ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାସ୍ପତି ଶ୍ରୀମତୀ ପାଢ଼ୀ ସବୁ ଦଳର ସହଯୋଗ ଲୋଡ଼ିଥିଲେ ।
ତେବେ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବାତ୍ୟା ଓ ବନ୍ୟା ନେଇ ବିଜୁ ଜନତା ଦଳ ପକ୍ଷରୁ ମୋସନ ଅଣାଯାଇଛି । ସବୁ ବିଜିନେସ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛୁ । ଏହା ସହ ଆଇନଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଗୃହରେ ଉଠାଇବୁ ।






