
ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଭେଟି ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ୟ୍ୟକାରିତା ଉପରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ବଜେଟରେ ଦକ୍ଷତା ବିକାଶ କ୍ଷେତ୍ରରେ ୫ଟି ସେଣ୍ଟର ଅଫ୍ ଏକ୍ସେଲେନ୍ସର ପ୍ରାବଧାନ ରଖାଯାଇଛି। ସେଥିରୁ ଗୋଟିଏ ଓଡ଼ିଶାରେ ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ଏହି ବୈଠକରେ ଓଡ଼ିଶାର ଆଇଟିଆଇ ଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଆହୁରି ଅଧିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ସ୍ଥାପନ, ଦକ୍ଷତା ବିକାଶ ଶିକ୍ଷାର୍ଥୀଙ୍କ ପାଇଁ ବହୁଭାଷୀ ଦକ୍ଷତା ତାଲିମ କେନ୍ଦ୍ର, ଜନଜାତି ବହୁଳ ଅଞ୍ଚଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ପିଏମ୍ ଜନମନ୍ ଯୋଜନାରେ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଏ ସବୁ ପ୍ରସ୍ତାବ ଉପରେ ସକାରାତ୍ମକ ମତାମତ ଦେଇ ଖୁବ୍ ଶୀଘ୍ର ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।







