
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକରେ ଜଣେ ବ୍ୟବସାୟୀଙ୍କୁ ଦର୍ବୃତ୍ତମାନେ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅବଦୁଲ ଆନସାରି। ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀ ଗୁଡ୍ଡୁ ଧୋବା ଓ ଯୁନୁଷ ଲାଠିଆ ସହ ପାରୁଆ ପଞ୍ଚାୟତର ଛତାବେଡାଠାରେ ସାପ୍ତାହିକ ହାଟକୁ ବାଇକରେ ଯାଉଥିଲେ। ଏହି ସମୟରେ ଗ୍ରାମ ନିକଟରେ ମୁଖା ପିନ୍ଧା ୬ ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ। ପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ବାଇକ ଚାଳକକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁଡ୍ଡୁ ଓ ୟୁନୁଷଙ୍କୁ ଆକ୍ରମଣ କରିବା ପରେ ଟଙ୍କା ବ୍ୟାଗ ଧରିଥିବା ଅବଦୁଲଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ଅବଦୁଲ ଅନସାରିଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।




