
ଉତ୍ତରପ୍ରଦେଶର କାନପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା କାଣ୍ଡ ଛାତ୍ରୀଙ୍କ ଘରେ ଘଟିଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଅନର କିଲିଂ(ସମ୍ମାନ ପାଇଁ ହତ୍ୟା) ବୋଲି ସନ୍ଦେହ କରାଯାଉଛି। ମୃତ ଛାତ୍ରୀଙ୍କ ନାଁ ହେଉଛି ସ୍ନେହା ସିଂହ। ଶୁକ୍ରବାର ପୂର୍ବାହ୍ନ ୧୧ଟା ୨୦ରେ ସ୍ନେହାଙ୍କ ଶୋଇବା ଘରୁ ଗୁଳି ଫୁଟିବା ଶବ୍ଦ ଆସିଥିଲା। ପାଖପଡ଼ିଶା ଲୋକ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲେ। ପରିବାର ଲୋକ ବି ସେଠାରେ ଉପସ୍ଥିତ ଥିଲେ। ତୁରନ୍ତ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ପୁଲିସ ଫୋରେନସିକ ଟିମ ଏବଂ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ତେବେ ଗୁଳି ଏକ ୧୨ ବୋର ପିସ୍ତଲରୁ ଚଳାଯାଇଥିବା ଏବଂ ଘଟଣାସ୍ଥଳରୁ ବନ୍ଧୁକ ମିଳି ନ ଥିବାରୁ ଏହା ଏକ ହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ପୁଲିସ କହିଛି। ତେବେ ପରିବାର ଲୋକେ କହିଛନ୍ତି, ସ୍ନେହାଙ୍କ ବାପାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଥିଲା। ସେ ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସ ଏହାକୁ ଅନର କିଲିଂ ଦିଗରୁ ମଧ୍ୟ ତଦନ୍ତ କରୁଛି।







