
ପୁରୀ: ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ୱାର୍ଡରେ ଆଡମିସନ୍ ହୋଇଥିଲେ । ରାତିରେ ଜଗି ରହିଥିଲେ ମା’ । ସକାଳେ ମା’ ଶୌଚାଳୟକୁ ଯାଇଥିବା ବେଳେ ଶଯ୍ୟାରୁ ଉଠି ପ୍ରେମିକ ସହ ଚମ୍ପଟ ମାରିଛି ନାବାଳିକା । ଝିଅକୁ ଖୋଜିଖୋଜି ନ ପାଇବାରୁ ସମୁଦ୍ରକୂଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମା’ । ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି ।ପୁଲିସ ସୂଚନାନୁଯାୟୀ, ନାବାଳିକା ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁରୀରେ ଭଡ଼ାସୂତ୍ରରେ ରହୁଥିଲେ । ଗତ ୧୭ ତାରିଖ ବିଳମ୍ବିତ ରାତିରେ ନାବାଳିକା ଅସୁସ୍ଥ ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାଳୟରେ ଆଡମିସନ କରାଯାଇଥିଲା ।
୧୮ ତାରିଖ ସକାଳେ ମା’ ଶୌଚାଳୟକୁ ଯାଇଥିବାବେଳେ ନାବାଳିକା ସମସ୍ତ ଚିକିତ୍ସା କାଗଜପତ୍ରକୁ ଚିରି ପ୍ରେମିକ ସହ ଚମ୍ପଟ ମାରିଥିଲା । ମା’ ଶୌଚାଳୟରୁ ଫେରି ଝିଅକୁ ଚିକିତ୍ସାଳୟ ପରିସର ଖୋଜିଥିଲେ ସୁଦ୍ଧା ପାଇନଥିଲେ । ଘରକୁ ପଳାଇଥିବ ଭାବି ବାଟ ସାରା ଖୋଜିଖୋଜି ଫେରିଥିଲେ । ଭଡ଼ା ଘରେ ପହଞ୍ଚିବା ପରେ ଲୋକମାନେ ଝିଅ ଘରକୁ ଆସି ପୁଣି କୁଆଡ଼େ ପଳାଇଲା ବୋଲି କହିଥିଲେ । ଝିଅକୁ ନ ପାଇ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଝିଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।




