
ରାଉରକେଲା: ସାପ କାମୁଡ଼ାରେ ଦୁଇ ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ରାଉରକେଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗୀର୍ଜାଟୋଲିରେ ଏହି ଅଭାବନୀୟ ଘଟଣା ଘଟିଛି।ମୃତକମାନେ ହେଲେ ୧୦ ବର୍ଷୀୟ ସମୀର ହରୋ ଓ ତାଙ୍କ ୮ ବର୍ଷୀୟ ଭଉଣୀ ସାଇରନ୍ ହରୋ। ସୂଚନା ଅନୁଯାୟୀ, ଉଭୟେ ଗତକାଲି ପରିବାର ସହ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ଭୋର ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଥିଲା।
ଘଟଣା ପରେ ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।




