
ଭୁବନେଶ୍ୱର, ୮ ।୧୦ : ବିଜେପି ସରକାର ଆସିବା ପରେ ମାତ୍ର ଅଢେ଼ଇ ବର୍ଷରେ ରାଜ୍ୟ ତିନି ରାଜ୍ୟପାଳଙ୍କୁ ଦେଖି ସାରିଲାଣି । ବିଜେପି ସରକାର ଅମଳରେ ପ୍ରଥମେ ରାଜ୍ୟପାଳ ଥିଲେ ରଘୁବର ଦାସ । ସେ ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ଡିସେମ୍ବର ୧୨ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ । ପରେ ସେ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଚାହିଁବାରୁ ରାଜ୍ୟପାଳ ପଦବୀରୁ ତାଙ୍କ ଅପସାରିତ କରାଯାଇଥିଲା । ଝାରଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କ ବୋହୂ ପୂର୍ଣ୍ଣିମା ସାହୁ ଦାସ ବାଜିମାତ୍ ବି କରିଛନ୍ତି । ତେବେ ରଘୁବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ଆଗଭର ଥିଲେ ବୋଲି ଝାରଖଣ୍ଡ ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା । ସେ ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଯାଇଥିଲା ।
ରଘୁବର ଦାସଙ୍କ ପରେ ଓଡ଼ିଶାର ରାଜ୍ୟପାଳ ଭାର ସମ୍ଭାଳିଥିଲେ ଡକ୍ଟର ହରିବାବୁ କମ୍ଭମପଟି । ୨୦୨୫ ଜାନୁଆରୀ ୩ରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଡକ୍ଟର ହରିବାବୁ ରାଜଭବନକୁ ବି ଚଳଚଞ୍ଚଳ କରିଦେଇଥିଲେ । ଅନେକ ନୂଆ ପଦକ୍ଷେପ ବି ନେଇଥିଲେ । ନିଜେ ଯାଇ ବହୁ ମନ୍ତ୍ରୀଙ୍କ ନିବାସରେ ପହଁଚି ଆଲୋଚନା ବି କରିଥିଲେ । ତେବେ ପାୱାର କରିଡ଼ରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ରାଜ୍ୟପାଳ ଡକ୍ଟର କମ୍ଭମପଟି ବହୁବାର ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ ପାଇଁ ଚାହିଁଥିଲେ । ବାରମ୍ବାର ହେଲିକପ୍ଟର ଯୋଗେ ଗସ୍ତ କରିବାକୁ ସେ ଚାହୁଁଥିଲେ । ଯାହାକୁ ନେଇ ରାଜ୍ୟ ପ୍ରଶାସନ ବି ଅକଳରେ ପଡ଼ିଯାଇଥିଲା । ଏହାବି ରାଜ୍ୟପାଳଙ୍କ ବଦଳି ପଛର ଅନ୍ୟ ଏକ କାରଣ ବୋଲି ଜାଣିବାକୁ ମିଳିଛି ।








