
ଭୁବନେଶ୍ବର: ଆନ୍ଧ୍ରର ଦକ୍ଷିଣ ୟାନମ୍ରେ ସ୍ଥଳଭାଗ ଛୁଇଁବା ପରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଦୁର୍ବଳ ଓ ମନ୍ଥର ହୋଇଯାଇଛି। ଘଣ୍ଟା ପ୍ରତି ୧୦ କି.ମି ବେଗରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହା ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି। ଗଞ୍ଜାମ ଓ ଗଜପତି ଜିଲାରେ ବର୍ଷା-ପବନ ଯୋଗୁଁ ବେଶି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବହୁ ଛୋଟବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ କଚ୍ଚା ଘର ଭାଙ୍ଗିଛି। ଗଜପତି ଜିଲାର କିଛି ସ୍ଥାନରେ ଭୂ-ସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଛି। ଅପରପକ୍ଷେ, ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ଦେଇ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଋଷିକୂଲ୍ୟା, ବଡ଼ନଦୀ, ବାହୁଦା ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଋଷିକୁଲ୍ୟା, ଜରଉ, ପଦ୍ମା ଓ ବାଂଥୁଲି ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଗଞ୍ଜାମର ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସାନଖେମୁଣ୍ଡି ବ୍ଲକର ପଲାସୁରୁ ଗାଁ ନିକଟର ଘୋଡ଼ାହାଡ଼ ନଦୀ ବ୍ରିଜ୍ ଉପରେ ୫ଫୁଟ୍ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିବାରୁ ଆସିକା-ଦିଗପହଣ୍ଡି ୩୨୬ନଂ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହାସହ ବ୍ରହ୍ମପୁର, ଛତ୍ରପୁର ସହର ସମେତ ଗ୍ରାମାଞ୍ଚଳରେ ବି ଲୋକଙ୍କ ଘରେ ପାଣି ପଶିଯାଇଛି।
ଆଇଏମ୍ଡିର ସୂଚନାନୁଯାୟୀ, ରାତିରେ ବାପଟଲା-ବିଶାଖାପାଟଣା ମଧ୍ୟବର୍ତ୍ତୀ ୟନମରୁ ସାମାନ୍ୟ ଦକ୍ଷିଣରେ ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁଥିଲା। ଆକଳନଠାରୁ ‘ଅର୍ଣ୍ଣବ’ ଯଥେଷ୍ଟ ଆଗୁଆ ଆସିଥିଲେ ହେଁ ଏହାର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ବିଳମ୍ବ ହୋଇଥିଲା। ପ୍ରାୟ ୬ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ରାତି ପ୍ରାୟ ୨ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା। ସ୍ଥଳଭାଗ ଛୁଇଁବା ସମୟରେ ଅର୍ଣ୍ଣବ ଦିଗ ବଦଳାଇବାକୁ ଚେଷ୍ଟା କରିବାରୁ ଏମିତି ବିଳମ୍ବ ହେଲା ବୋଲି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆଇଏମ୍ଡି ବୁଲେଟିନ୍ ରିପୋର୍ଟ ଅନୁସାରେ, ବାତ୍ୟା ଦୁର୍ବଳ ହେବାରେ ଲାଗିଛି। ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏହା ଗତିପଥ ବଜାୟ ରଖିବ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ୧୫୪.୬ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୧୪୦ମି.ମି, ଗୋପାଳପୁରରେ ୧୧୪ମି.ମି, ପୁରୀରେ ୭୨.୬ମି.ମି, ଦାରିଙ୍ଗବାଡ଼ିରେ ୫୭ମି.ମି, ରାୟଗଡ଼ାରେ ୬୦ମି.ମି, ଜଗତସିଂହପୁରରେ ୫୨ମି.ମି ଏବଂ ଭୁବନେଶ୍ବରରେ ୩୮.୮ମି.ମି ବର୍ଷା ହୋଇଛି।
ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ମନ୍ଥର ହୋଇଯିବାରୁ ଆନ୍ଧ୍ରପ୍ରଦେଶ ଉପକୂଳରେ ଅତି ଭୀଷଣ ବର୍ଷା ରେକର୍ଡ କରାଯାଇଛି। ସେଠାରେ ୪୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ବିଳମ୍ବିତ ରାତିରେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ସମୟରେ ଏହା ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଓ ବସ୍ତର ପାଖରେ କେନ୍ଦ୍ରୀଭୂତ ହେବ। ଏହାର ଗତି ଉତ୍ତର ଦିଗରେ ଜାରି ରହିବ। ଗୁରୁବାର ଏହା ଏକ ଅବପାତରେ ପରିଣତ ହେବ। ସନ୍ଧ୍ୟା ବେଳକୁ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି।



