
ଆଜି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ହେବ ଅନ୍ତିମ ସତ୍କାର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ। ଗତକାଲି ଦିଲ୍ଲୀ ଏମ୍ସରେ ଶ୍ରଦ୍ଧାଞ୍ଜଳି ପରେ ଡା. ମହାପାତ୍ରଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଥିଲା। ବିମାନବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ, ପୋଲିସ କମିଶନରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ରଖାଯାଇଥିଲା ତାଙ୍କ ମରଶରୀର। ସେଠାରେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ ଅନ୍ତିମ ସଂସ୍କାର। ଜଣେ ଦକ୍ଷ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ଦୀର୍ଘ ବର୍ଷ ଧରି ସେ ଅନେକ ରୋଗୀଙ୍କୁ ନୂଆ ଜୀବନ ଦେଇଥିଲେ।
ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ଓଡ଼ିଶା ହରାଇଛି ଜଣେ ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍ ଓ ମହାନ ବ୍ୟକ୍ତିତ୍ୱଙ୍କୁ। ତାଙ୍କର ଏହି ଅନ୍ତିମ ବିଦାୟରେ ଝୁରୁଛି ସାରା ଚିକିତ୍ସା ଜଗତ।




