
ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ମେଲାଣି ନେଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ଗତକାଲି ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ନନ୍ଦିଘୋଷ, ତାଳଦ୍ବଜ ଏବଂ ଦର୍ପଦଳନ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ । ଏହାକୁ ବଡ଼ତଢ଼ାଉ ବେଶ ଓ ରାଜବେଶ ବୋଲି ମଧ୍ୟ କୁହାଯାଏ । ରଥ ଉପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ 10 ଲକ୍ଷରୁ ଅଧିକ ଭକ୍ତ ।
ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ତିନି ଠାକୁର । ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ଅପରାହ୍ନ 5ଟାରୁ 6.30 ମିନିଟ ମଧ୍ୟରେ ଶ୍ରୀଜିଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତି 10ରୁ 11ଟା ମଧ୍ୟରେ ସୁନାବେଶ ମଇଲମ କରାଯିବ । ଶ୍ରୀଜିଉମାନେ ସୁନାବେଶରେ ପ୍ରାୟ 6 ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁନାବେଶ ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସୁନାବେଶ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଏବଂ ସ୍ବତନ୍ତ୍ର ବେଶ । ଏଥିରେ ଦିଅଁମାନଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜା ଯାଏ । ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଅନୁଷ୍ଠିତ ହୋଇଥାଏ । ଏହା ମଧ୍ୟରୁ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ 4 ଥର ଯଥା- କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । କେବଳ ଥରେ ମାତ୍ର ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ଶ୍ରୀମନ୍ଦିର ବାହାରେ ଅର୍ଥାତ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଶ୍ରୀଜୀଉମାନେ ସୁନାବେଶରେ ଦର୍ଶନ ଦିଅନ୍ତି ।




