
ଭୁବନେଶ୍ୱର: ପ୍ରବଳ ଖରା ଆଉ ଭୀଷଣ ଗରମ । ଦିନ ଗୋଟାଏ ବେଳକୁ ଦେହ, ହାତ ପୋଡ଼ି ପକାଉଥିଲା । ତାତିର ଜ୍ୱାଳାରେ ମୁଣ୍ଡ ବୁଲାଇ ଦେଉଥିଲା । ଇଏ କିଛି ନୁହେଁ, ଆଗକୁ ଆହୁରି ଭୟାନକ ତାତି ଆସୁଛି ।ମଙ୍ଗଳବାର ଟିଟିଲାଗଡ଼ରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୪୩ ଡିଗ୍ରୀ ରହିବ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ । ଦିନ ତାପମାତ୍ରା ଆହୁରି ବଢ଼ିବ । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ତାତିକୁ ନେଇ ପୂର୍ବାନୁମାନ ଜାରି କରିବା ସହ ଏଭଳି ସତର୍କ କରାଇଛି । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତାତିରେ କଲବଲ ହେବ । ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ କମ୍ ତାତି ଅନୁଭୂତ ହେଲେ ବି ୪୦ ଡିଗ୍ରୀ ପାଖାପାଖି ରହିବ । ଏଠାରେ ଗରମସାଙ୍ଗକୁ ଭୀଷଣ ଗୁଳୁଗୁଳି ହୋଇପାରେ ।
ବୁଧବାର(୧୫ ତାରିଖ) ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିପାରେ । ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ସୋନପୁରରେ ୪୩, ବୌଦ୍ଧରେ ୪୨, ନୂଆପଡ଼ା, ଭବାନୀପାଟଣା ଓ ବାରିପଦାରେ ୪୧ ଡିଗ୍ରୀ ରହିପାରେ ।
୧୬ ତାରିଖରେ ବି ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ଭାଜି ହେବ । ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିବାର ଆଶଙ୍କା ଅଛି । ଏହାର ୪ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରହିପାରେ । ଅଧିକାଂଶ ସ୍ଥାନରେ ତାତି ୪୩ରୁ ୪୫ ଡିଗ୍ରୀ ପାଖାପାଖି ରହିବ । ୧୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ଯୋଗୁ ତତଲା ପବନ ବହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳିବନି ।
ସୋମବାର ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁର, ହୀରାକୁଦ ଓ ଭବାନୀପାଟଣାରେ ୪୦.୪, ବଲାଙ୍ଗୀରରେ ୪୦.୨, ସୋନପୁର ଓ ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ତେବେ ଛୋଟ ପିଲା, ବରିଷ୍ଠ ନାଗରିକ, ଅସୁସ୍ଥ ଥିବା ଲୋକେ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟମାନେ ଖରାରୁ ରକ୍ଷା ପାଇଁ ଛତା ବ୍ୟବହାର କରିବା ସହ ମୁଣ୍ଡକୁ କପଡ଼ାରେ ଘୋଡ଼ାଇବା ସହ ହାଲୁକା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।




