
ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ହେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବ । ବର୍ତ୍ତମାନ ସୁଦ୍ଧା ୪୫ ଲକ୍ଷ ୪୦ ହଜାର ପତାକା ପ୍ରସ୍ତୁତ ସରିଛି । ଏହାକୁ ସଫଳ କରିବା କରିବା ପାଇଁ ୧୦୫୩ ମିଶନ ଶକ୍ତି ମହିଳା ଓ ୧୨,୪୭୧ ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ଅଛନ୍ତି । ପତାକା ତିଆରି ପାଇଁ ବିଭାଗ ପକ୍ଷରୁ ୧୫ କୋଟି ଟଙ୍କା ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି ।
କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ହାତୀଆସୁଣୀ ଗ୍ରାଉଣ୍ଡଠାରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜିତ ହେବ । ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବା ସହିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବିନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ୍’ର ଆୟୋଜନ କରାଯିବ ।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ନିଜର ଫଟୋକୁ harghartiranga.com ୱେବସାଇଟରେ ଅପଲୋଡ୍ କରି ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ । ଏଥିସହ My. GOV ପୋର୍ଟାଲରେ ଅନଲାଇନ୍ କୁଇଜରେ ଅଂଶଗ୍ରହଣ କରିପାରିବେ । ଶନିବାର ସାମ୍ବାଦିକ ସମ୍ମିଳନୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା, ଉପ ନିର୍ଦ୍ଦେଶକ ଡ. ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।




