
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।
ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)କୁ ସୁଗମ ରଖିବା ପାଇଁ ଘରୋଇ ରାସନ ଡିଲରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଓଡ଼ିଶା ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (କଣ୍ଟ୍ରୋଲ) ଅର୍ଡର, ୨୦୧୬ର ଧାରା ୪(୬)ରେ ସଂଶୋଧନ କରାଯାଇଛି । ଘରୋଇ ଡିଲରଙ୍କ ବଦଳରେ ସଂସ୍ଥାଗତ ଡିଲର ନିଯୁକ୍ତି ପ୍ରକ୍ରିୟାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ବଢ଼ାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ବର୍ତ୍ତମାନ ରାଜ୍ୟରେ ୧୧,୭୦୬ଟି ନ୍ୟାୟମୂଲ୍ୟ ଦୋକାନ ମାଧ୍ୟମରେ ରାସନ ବଣ୍ଟନ କରାଯାଉଛି ।





