
ଦେବଗଡ଼: ସ୍ବାଧୀନତାର ସାତ ଦଶନ୍ଧି ପରେ ଆଜି ବି ଜିଲ୍ଲାର ଏପରି କିଛି ଗ୍ରାମ ଅଛି, ଯାହାଙ୍କ ପାଇଁ ମୌଳିକ ସୁବିଧା ସାତସପନ ପାଲଟିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ୍ର ବାଲିଆମ ଗ୍ରାମରେ। ଉକ୍ତ ଗ୍ରାମରେ ଏବେ ବି ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳଯୋଗାଣ ସେମାନଙ୍କ ପାଇଁ ଅପହଂଚ ହୋଇପଡ଼ିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ନାନା ପ୍ରକାର ଯୋଜନା କରୁଥିବା ବେଳେ ଉକ୍ତ ଗ୍ରାମରେ କେବେ ପଡ଼ିବ ବିକାଶର ଆଲୁଅ ସେ ନେଇ ଗ୍ରାମବାସୀମାନେ ଅନେଇ ବସିଛନ୍ତି। ବିଶେଷ କରି ସବୁଠାରୁ ମୂଲ୍ୟବାନ ପାଣି ପାଇଁ ଗ୍ରାମବାସୀଙ୍କ ଭରସା ହେଉଛି ପାହାଡ଼ୀ ଝରଣା। ପାନୀୟଜଳ ଯୋଗାଣ କୌଣସି ବ୍ୟବସ୍ଥା ନାହିଁ। ଏଭଳି ଦୁରବସ୍ଥାରେ ଜୀବନ କାଟୁଛନ୍ତି ବାଲିଆମ ଗ୍ରାମବାସୀ। ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ୍ର ବାଲିଆମ ଗ୍ରାମରେ ୧୦ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ଯିବା ପାଇଁ କେବଳ ପାଦଚଲା ରାସ୍ତା ରହିଛି। ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା ନାହିଁ। ପିଇବାପାଣି ସମସ୍ୟା ରହିଛି। ସରକାରଙ୍କ ପକ୍ଷରୁ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ପାହାଡ଼ୀ ଝରଣାରୁ ପାଣି ସଂଗ୍ରହ କରି ପିଉଛନ୍ତି। ବର୍ତ୍ତମାନ ଖରାଦିନେ ଝରଣା ମଧ୍ୟ ଶୁଖିଯାଇଛି। ଫଳରେ ଝରଣାରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରୁଛନ୍ତି। ତାହା ବି ପର୍ଯ୍ୟାପ୍ତ ହେଉ ନାହିଁ। ବିଭିନ୍ନ ସମୟରେ ସେମାନଙ୍କର ସମସ୍ତ ସୁବିଧା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।


