
ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବର୍ତ୍ତମାନର ଆକଳନ ଅନୁସାରେ, ଦଶହରା ପାଳନରେ ବ୍ୟାପକ ବାଧା ହେବାର ସୂଚନା ନାହିଁ।
ତେବେ ପ୍ରଣାଳୀର ବିକାଶ ଅନୁସାରେ ପୂର୍ବାନୁମାନ ବଦଳିପାରେ ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୪ ଓ ୧୫ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, ମୟୂରଭଞ୍ଜ, ସୁବର୍ଣ୍ଣପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଗତିବିଧି ଏବଂ ତୀବ୍ରତା ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଶୁକ୍ରବାର ବାଲେଶ୍ବର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିପାରେ। ୧୭ରୁ ୧୯ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ଓ ଅଳ୍ପ କିଛି ସ୍ଥାନରେ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ବିଜୟାଦଶମୀରେ ପାଗ ସୁଧୁରିପାରେ। ସେ ଆହୁରି କହିଛନ୍ତି, ଥାଇଲାଣ୍ଡ ଉପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ୧୧ ତାରିଖରେ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଉଭୟ ମିଶିପାରନ୍ତି। ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ କେନ୍ଦ୍ରୀୟ କିମ୍ବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ୧୫ରେ ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ବଙ୍ଗୋପସାଗର ଜଳ ଉଷ୍ଣ ଥିଲେ ମଧ୍ୟ ଉଚ୍ଚତା ଅନୁସାରେ ପବନର ବେଗ ଓ ଦିଗ ପରିବର୍ତ୍ତନ ଏବଂ ଉତ୍ତର-ପଶ୍ଚିମରୁ ଶୁଖିଲା ବାୟୁର ପ୍ରବେଶ ପ୍ରଣାଳୀକୁ ଶୀଘ୍ର ଶକ୍ତିଶାଳୀ ହେବାରୁ ରୋକିପାରେ। ସମ୍ଭାବ୍ୟ ଲଘୁଚାପ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଆଡ଼କୁ ଗଲେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏହା ଅଧିକ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ଆଡ଼କୁ ଗଲେ ଓଡ଼ିଶାରେ ବର୍ଷା କମ୍ ହୋଇପାରେ। ୨୦ରେ ବିଜୟାଦଶମୀ ଦିନ ଅଧିକାଂଶ ଅଞ୍ଚଳରେ ପାଗ ସୁଧୁରି ପ୍ରାୟ ଶୁଖିଲା ରହିପାରେ। ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତୁଳନାତ୍ମକ କମ ବର୍ଷା ସମ୍ଭାବନା ରହିଛି।








