ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର: ଚଳିତବର୍ଷ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ । ତେବେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ନେଇ ଚିଠି ହୋଇଛି । ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଚିଠି ଅନୁଯାୟୀ, କୌଣସି ଛାତ୍ରଛାତ୍ରୀ ବିନା ଅନୁମତିରେ କଲେଜରେ ଆନ୍ଦୋଳନକୁ ଓହ୍ଲାଇବେ ନାହିଁ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଛାତ୍ର ସଂଗଠନ ମାନେ ମଧ୍ୟ କ୍ୟାମ୍ପସରେ ନିଜର ସଂଗଠନ ସଜାଡ଼ିବାରେ ଲାଗିଲାଣି । ଏପରି ଏକ ଚିଠି ଓ ଛାତ୍ରସଂଗଠନ ମାନଙ୍କର ପ୍ରସ୍ତୁତିକୁ ନେଇ ଛାତ୍ର ସଂସଦ ନିର୍ବାଚନ ଆଶା ବାନ୍ଧିଛି ।

ଅବଶ୍ୟ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ସାଙ୍ଗେ ସିଧାସଳଖ ଛାତ୍ର ସଂସଦ ନିର୍ବାଚନର ସଂପୃକ୍ତି ନାହିଁ । ମାତ୍ର ଏଥିରେ ଆନ୍ଦୋଳନ ପାଇଁ ଅନୁମତି, ଅଣଛାତ୍ର ପ୍ରବେଶ ନିଷେଧ, ରାଜନୈତିକ ସଭାକୁ ବାରଣ ଭଳି କଟକଣା ଏକ ପ୍ରକାର ଇଙ୍ଗିତ କରୁଛି ଯେ ଆଗକୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏପରିକି କିଛି ମାସ ହେବ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଛାତ୍ର ସଂଗଠନ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଏ କ୍ୟାମ୍ପସ କମିଟି ଗଠନରେ ଲାଗିଛି ତ ଆଉ କିଏ ସଂଗଠନକୁ ମଜବୁତ କରିବାକୁ ପିଲାଙ୍କୁ ଏକାଠି କରୁଛି । ବିଜେଡି ଓ ବିଜେପି ଏଦିଗରେ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡ଼ିଛି । ଗତ ୨୦୨୫ ଜୁଲାଇ ମାସରୁ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ପଦ ଖାଲି ପଡ଼ିଛି ।
ଆଗକୁ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଥିବାରୁ ସରକାର ଏ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି । ସରକାରୀ ଦଳର ସମର୍ଥିତ ଛାତ୍ର ଗୋଷ୍ଠୀ କିଭଳି ଭାବେ କ୍ୟାମ୍ପସ ହାତେଇବେ ତାକୁ ନେଇ ଏବେଠୁ କସରତ ଆରମ୍ଭ ହୋଇଛି । ବିଭିନ୍ନ ଦଳର ଛାତ୍ରଛାତ୍ରୀଙ୍କୁ ନିଜର ଦଳରେ ମିଶାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ଯାହା ଯେମିତି ହେଉଛି ହେଉ ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ସରକାରୀ ଦଳ ସମର୍ଥିତ ପ୍ରାର୍ଥୀ କିପରି କ୍ୟାମ୍ପସ ଅକ୍ତିଆର କରିବେ ତାକୁ ନେଇ ଏବେଠୁ ଅଙ୍କକଷା ହେଉଥିବା ଶୁଣାଯାଉଛି ।

ସେହିପରି ବିଜୁ ଜନତା ଦଳ ମଧ୍ୟ ପଛରେ ପଡ଼ିନି । ବର୍ତ୍ତମାନ ଜିଲ୍ଲା କମିଟି ଗଠନ ହେଉଛି । ଅଳ୍ପ ଦିନ ମଧ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାମ୍ପସ କମିଟି ଘୋଷଣା କରିବାକୁ ଯାଉଛି । ଛାତ୍ର ବିଜେଡି ପାଖେ କ୍ୟାମ୍ପସରେ ଥିବା ପୁରୁଣା ସଂଗଠନ କିଭଳି ଆହୁରି ମଜଭୁତ ହେବ ଆହୁରି ଅଧିକ ପିଲା ଯୋଡ଼ି ହେବେ ସେଥିଲାଗି ମଧ୍ୟ ଛାତ୍ର ନେତାଙ୍କ ସହ ବୈଠକ ହେଉଛି । ଏବିଭିପି ମଧ୍ୟ କ୍ୟାମ୍ପସରେ ବିଭିନ୍ନ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ କରୁଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପିଲାଙ୍କୁ ବାନ୍ଧି ରଖିବାକୁ ଉଦ୍ୟମ କରୁଛି । ସେ ହୋଲି ଉତ୍ସବ ହେଉକି ଅନ୍ୟ କୌଣସି ପର୍ବ ହେଉ ସବୁଥିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି । ମାତ୍ର ଛାତ୍ର କଂଗ୍ରେସ ମୁରବୀଶୂନ୍ୟ ହୋଇଥିବାରୁ ଏହାର କାର୍ଯ୍ୟକ୍ରମ ଧିମା ପଡ଼ିଛି ।

ଛାତ୍ର ବିଜେଡି ରାଜ୍ୟ ସଭାପତି ଇପ୍ସିତା ସାହୁ କହିଛନ୍ତି, ଆମେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ । ସରକାରଙ୍କ ପାଖେ ନିର୍ବାଚନ କରିବାକୁ ଦାବି କରୁଛୁ । ସରକାର ଆଦର୍ଶ ଆଚରଣ ବିଧି ନାଁରେ ସରକାର ଅଘୋଷିତ ଜରୁରୀକାଳୀନ ଲାଗୁ କରୁଛନ୍ତି । ଆଗକୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଥିବାରୁ ଦୁର୍ନୀତି ଲୁଚାଇବା ପାଇଁ ଏପରି ଆଚରଣ ବିଧି ଲାଗୁ କରୁଛନ୍ତି । ଏହା ଅଗଣତାନ୍ତ୍ରିକ ଓ ସରକାରଙ୍କ ଅକ୍ଷମତାକୁ ଲୁଚାଇବା ପାଇଁ ଏପରି ବ୍ୟବସ୍ଥା କରୁଛନ୍ତି । ସେହିପରି ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ଶୈଖିକ ବାତାବରଣ ନାଁରେ ଛାତ୍ର ସଂସଦ ନିର୍ବାଚନକୁ ବହୁଦିନ ଧରି ବନ୍ଦ ରଖାଯାଇଛି । ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଏଯାଏ ବିଜେପି କାର୍ଯ୍ୟକାରୀ କରିନି । ଛାତ୍ର ସଂସଦ ନିର୍ବାଚନ ନକରି ଛାତ୍ରଙ୍କ ହକ୍କୁ ହତ୍ୟା କରାଯାଉଛି । ଆଚରଣ ବିଧି ନାଁରେ ଭୟ ସୃଷ୍ଟି ନକରି ଛାତ୍ର ସଂସଦ ନିର୍ବାଚନ ହେଉ ନଚେତ୍ ଆନ୍ଦୋଳନ ଜୋରଦାର ହେବ । ଅନ୍ୟପଟେ ଏବିଭିପିର ରାଜ୍ୟ ସଂପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି, ସରକାର ଏବର୍ଷ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ଉଲ୍ଲେଖ କରନ୍ତୁ ।

  • Related Posts

    ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ବୈଠକ

    ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ସଂଗଠନ କିପରି ମଜବୁତ୍ ହେବ।…

    Continue reading
    ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ: ରାମକୃଷ୍ଣ ଦାସମହାପାତ୍ର

    କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଜିତି ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଏହି ଭବିଷ୍ୟବାଣୀ କରିଛନ୍ତି ପୁରୀର ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରଭୁ ଜଗନ୍ନାଥ ମମତା ବାନାର୍ଜୀଙ୍କୁ ତାଙ୍କର ବିଶେଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ