ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍‌ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ପାଇଲେ ପଦ୍ମଶ୍ରୀନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁଇ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍‌ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ।

ବିଶିଷ୍ଟ ଆଇନଜ୍ଞ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି କେ.ଟି ଥୋମାସ ଏବଂ ଜାତୀୟତାବାଦୀ ସାମ୍ବାଦିକ ରୂପେ ପରିଚିତ ପି. ନାରାୟଣନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଟେନିସ୍‌ ଜଗତର ଅନ୍ୟତମ କିମ୍ବଦନ୍ତୀ ଖେଳାଳୀ ଡକ୍ଟର ବିଜୟ ଅମୃତ ରାଜ, ବିଭିନ୍ନ ଅଭିନେତା ମାମୁଟ୍ଟି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ବିଶିଷ୍ଟ ଗାୟିକା ଅଳକା ୟାଗ୍ନିକ ପ୍ରମୁଖ ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି ।

ଓଡ଼ିଶାରୁ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କ ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

ଶ୍ରୀ ଚରଣ ହେମ୍ବ୍ରମ୍‌

୯ ଫେବୃଆରୀ ୧୯୫୨ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଜନ୍ମିତ ଶ୍ରୀ ଚରଣ ହେମ୍ବ୍ରମ ଜଣେ ସାନ୍ତାଳି (ଅଲ ଚିକି) ଶିକ୍ଷାବିତ୍ ତଥା ସାଂସ୍କୃତିକ କର୍ମୀ, ଯିଏ ଓଡ଼ିଶାରେ ସାନ୍ତାଳି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ସହିତ ଏହାକୁ ସଂସ୍ଥାଗତ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଶ୍ରୀ ହେମ୍ବ୍ରମ ୧୯୯୨ ରୁ ୨୦୦୪ ପର୍ଯ୍ୟନ୍ତ ଏଏସଇସିଏ (ଓ), ରାଇରଙ୍ଗପୁର ଅଧୀନରେ ଓଡ଼ିଶାର ସାନ୍ତାଳୀ ଶିକ୍ଷା ବୋର୍ଡର ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାନ୍ତାଳି ଶିକ୍ଷାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଛନ୍ତି। ଜଣେ ଶିକ୍ଷାବିତ୍‌ ତଥା ସାଂସ୍କୃତିକ କର୍ମୀ ଭାବେ ସେ ବିଭିନ୍ନ ଅଲ ଇତୁନ ଅସ୍ରା, ସାନ୍ତାଳ ଆଖଡ଼ା ଆଦି ପ୍ରତିଷ୍ଠା କରିଛନ୍ତି। ସର୍ବୋପରି, ସାନ୍ତାଳି ସାହିତ୍ୟ, ସଂଗୀତ, ନୃତ୍ୟ, ନାଟକ ଏବଂ ସାମାଜିକ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ।

ଶରତ କୁମାର ପାତ୍ର

ଖ୍ୟାତନାମା ହସ୍ତତନ୍ତ ବୁଣାକାର ଶ୍ରୀ ଶରତ କୁମାର ପାତ୍ର ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି । ଇକ୍କତ ଶୈଳୀର ବୟନ ଲାଗି ପରିଚିତ ଶ୍ରୀ ପାତ୍ର ‘ଦଶ-ଅବତାର’ ଇକ୍କତୱାଲ, ଗୀତ ଗୋବିନ୍ଦ ପାଟ ଆଦି ବୁଣିବାରେ ବିଶେଷ ଦକ୍ଷତା ହାସଲ କରିଛନ୍ତି । ସେ ଅନେକ ବୁଣାକାରଙ୍କୁ ଇକ୍କତ ବୟନର ତାଲିମ ଦେଇଛନ୍ତି । କଟକ ଜିଲ୍ଲା ନୂଆପାଟଣା ଗ୍ରାମରେ ୫ ଜୁନ୍‌ ୧୯୬୫ରେ ଜନ୍ମିତ ଶ୍ରୀ ପାତ୍ର କୌଣସି ଔପଚାରିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ନିଜ ପିତାଙ୍କ ଠାରୁ ଇକତ ଏବଂ ଆଳଙ୍କାରିକ ବସ୍ତ୍ର ବୟନର କଳା ଶିଖିଥିଲେ । ବିଭିନ୍ନ ଜଟିଳ ବୟନ ଶୈଳୀ ସମେତ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ସେ ପ୍ରାୟ ୫୦ଟି କପଡ଼ା ରଙ୍ଗ ପ୍ରସ୍ତୁତ କରିଛନ୍ତି । ୨୦୦ବର୍ଷ ପୁରୁଣା ଇକ୍କତ ବୁଣା କାରିଗରୀର ସଂରକ୍ଷଣରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂର୍ବରୁ ସେ ଅନେକ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ସୀମାଞ୍ଚଳ ପାତ୍ର

ପଦ୍ମଶ୍ରୀରେ ସମ୍ମାନିତ ଶ୍ରୀ ସୀମାଞ୍ଚଳ ପାତ୍ର ଓଡ଼ିଶାର ଅନ୍ୟତମ ଅନନ୍ୟ ଲୋକକଳା ପ୍ରହ୍ଲାଦ ନାଟକ ଦୁନିଆର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ । ଏହି ଅଭିନବ ସଂଗୀତ ଓ ମୁଖା ଆଧାରିତ ଲୋକ ନାଟ୍ୟ ପରମ୍ପରାର ବିକାଶ ଏବଂ ସଂରକ୍ଷଣରେ ସେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସେ ଅନେକ ଆଖଡ଼ା ପ୍ରତିଷ୍ଠା କରିଛନ୍ତି । ମାତ୍ର ସାତ ବର୍ଷ ବୟସରେ ସେ ଶଖୀ ନାଟ ଶିଖିଥିଲେ । ଏବେ ୯୮ ବର୍ଷ ବୟସରେ ମଧ୍ୟ ସେ ଏହି ସାଂସ୍କୃତିକ ଲକ୍ଷ୍ୟ ପ୍ରତି ପୂର୍ଣ୍ଣପ୍ରାଣରେ ସମର୍ପିତ ରହିଛନ୍ତି । ତାଙ୍କୁ ପ୍ରହ୍ଲାଦ ନାଟକ ଦୁନିଆର ଭୀଷ୍ମ ପିତାମହ କୁହାଯାଏ । ଗଞ୍ଜାମ ଜିଲ୍ଲାରେ ଏକ ଗରିବ ପରିବାରରେ ଜନ୍ମ ଲାଭ କରିଥିବା ଶ୍ରୀ ପାତ୍ର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ପରମ୍ପରା ଓ ସଂସ୍କୃତିର ସଂରକ୍ଷଣରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏଥିପୂର୍ବରୁ ସେ ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଭଳି ସମ୍ମାନ ପାଇସାରିଛନ୍ତି ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ