
ଦେବଗଡ଼:ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଓ ସଠିକ ସମୟରେ ଜମିର ଯାଞ୍ଚ କରିବା ପାଇଁ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ପ୍ରମୋଦ ଝାଙ୍କର,ଆଇନପରାମର୍ଶଦାତା ବିଭୂତି ଗଙ୍ଗଦେବ,ଉପସଭାପତି ବିଜୟ ପ୍ରଧାନ,ସାଧରଣ ସଂପାଦକ ସୁରେଶ ଚନ୍ଦ୍ର ଦେହୁରୀ, ଅରୁଣ ସାହୁ, ବିନୋଦ ବିହାରୀ ନାୟକ, ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ,ପ୍ରଥମତଃ ୨୦୨୬-୨୭ରେ ଖରିଫ ଧାନ ପଞ୍ଜିକରଣ ଅବଧି ଚଳିତ ବର୍ଷ ଅଗଷ୍ଟ ୬ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହାସହିତ ଏଗ୍ରିଷ୍ଟାକ ୭ ଦିନ ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ସମସ୍ୟା ଦେଖାଦେଇଥିଲା। ୧୮ ଦିନରେ ମଧ୍ୟରେ ପଞ୍ଜିକରଣ କରିବା ସମ୍ଭବ ନୁହଁ। ବର୍ତ୍ତମାନ ଚାଷ କାର୍ଯ୍ୟ ଜାରି ରହିଛି। ଏହାସହିତ ବିଭିନ୍ନ ସମୟରେ ଇଣ୍ଟରନେଟ ସମସ୍ୟା ମଧ୍ୟ ଦେଖାଦେଉଛି। ସେଥିପାଇଁ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏହାସହିତ ଚାଷୀ ପ୍ରକୃତରେ ଚାଷ କରୁଛି କି ନାହିଁ ତାହା ତଦନ୍ତ କରିବା ରାଜସ୍ବ ବିଭାଗ,କୃଷି ବିଭାଗ ଓ ସମବାୟ ବିଭାଗ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରନ୍ତି। ପରେ ଡିସେମ୍ବର ମାସ ଶେଷ ବେଳକୁ କେବଳ ସମବାୟ ବିଭାଗ ସେଟଲାଇଟ୍ ମାଧ୍ୟମରେ ପୁଣି ତଦନ୍ତ କରିଥାନ୍ତି। ଯାହା ଦ୍ବାରା ଚାଷୀ ଜମିରୁ ଧାନ ଫସଲ ଅମଳ କରି ସୋରିଷ, ମୁଗ ଓ ଅନ୍ୟାନ୍ୟ ଫସଲ କରିଥାନ୍ତି। ଫଳରେ ଅସଲ କିସମ ଧାନ ଅମଳ ହେଉଥିବା ବିଲର ଧାନ ଚାଷୀ ବିକ୍ରି କରି ପାରେନାହିଁ ଓ ଅଭାବ ବିକ୍ରିର ଶିକାର ହୋଇଥାନ୍ତି। ତେଣୁ ସମବାୟ ବିଭାଗର ସେଟଲାଇଟ୍ ସର୍ଭେ ଅକ୍ଟୋବର ଶେଷ ସୁଦ୍ଧା ଶେଷ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।




