
ଦେବଗଡ଼:ନକଲି ସୁନା ବନ୍ଧକ ରଖି ଋଣ ଠକେଇ ହୋଇଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଆଜି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରିଆମାଳ ଥାନାଚଂଳର ବନାକାଲୋ ଗ୍ରାମର ଡମ୍ବରୁଧର ବେହେରା(୨୮), ଦେବଗଡ ଥାନାଚଂଳର ଅଭିଷେକ ମୁଖୀ(୨୨) ଓ ପ୍ରଶାନ୍ତ ସାହୁ(୨୧)। ସେମାନଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଡମ୍ବରୁଧର ବଜାଜ ଆଲିନାସ ଫାଇନାସର ଦେବଗଡ ଶାଖାରେ ଏକ ସୁନା ଚେନ ବନ୍ଧକ ଦେଇ ୧ ଲକ୍ଷ ଟଙ୍କା ୮୩ ହଜାର ଟଙ୍କା ପୂର୍ବରୁ ଋଣ ନେଇଥିଲେ। ତେବେ ପୁଣିଥିରେ ଗତକାଲି ଆଉ ଏକ ସୁନା ଚେନ ବନ୍ଧକ ଦେଇ ଋଣ ନେବାକୁ ଆସିଥିବାବେଳେ ବଜାଜ ଆଲିନାସ ଦେବଗଡ ଶାଖା ପକ୍ଷରୁ ଏହାକୁ ଯାଂଚ କରିବାରୁ ଏହା ନକଲି ବୋଲି ଜଣାପଡିଥିଲା। ଅନ୍ୟପଟେ ପୂର୍ବରୁ ବନ୍ଧକ ଥିବା ସୁନା ଚେନ ଯାଂଚ କରିବାରୁ ତାହା ମଧ୍ୟ ନକଲି ବୋଲି ଜାଣିବାକୁ ପାଇଥିଲେ। ଏନେଇ ବଜାଜ ଆଲିନାସ ଫାଇନାସ ଶାଖା ପକ୍ଷରୁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।




